୨୪ରେ ବସିବ କଂଗ୍ରେସର ଉଚ୍ଚସ୍ତରୀୟ ବୈଠକ

1 min read

ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ବସିବ କଂଗ୍ରେସର ଉଚ୍ଚସ୍ତରୀୟ ବୈଠକ । ଏଆଇସିସି ସାଧାରଣ ସମ୍ପାଦକ ଓ ବିଭିନ୍ନ ରାଜ୍ୟର ଦାୟିତ୍ବରେ ଥିବା ପଦାଧିକାରୀଙ୍କ ସହ ବୈଠକରେ ସାମିଲ ହେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ବିଶେଷ କରି ପଞ୍ଜାବ ସ୍ଥିତି ସମୀକ୍ଷା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ବୈଠକରେ ହେବ ଆଲୋଚନା ।

ସେପଟେ ବଢିଛି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ଅଡୁଆ । ହାଇକମାଣ୍ଡଙ୍କ ସହ ଆଲୋଚନା ଲାଗି ଦିଲ୍ଲୀରେ ପହଞ୍ଚିଛନ୍ତି କ୍ୟାପଟେନ । ଆସନ୍ତା କାଲି ସୋନିଆଙ୍କ ସହ ତାଙ୍କର ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ତାଙ୍କ ବିରୋଧରେ ଦେଖାଦେଇଥିବା ବିଦ୍ରୋହ ପରିପ୍ରେକ୍ଷୀରେ ତାଙ୍କୁ ଦିଲ୍ଲୀ ଡକରା ହୋଇଛି । କିଛି ଦିନ ତଳେ ରାଜ୍ୟରେ ଦେଖାଦେଇଥିବା ବିଦ୍ରୋହକୁ ସମାଧାନ କରିବା ଲାଗି ଦଳର ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ୩-ଜଣିଆ କମିଟି ଗଠିତ ହୋଇଥିଲା ।

ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ କଂଗ୍ରେସର ଗୋଷ୍ଠୀ ବିବାଦ ଦଳ ଲାଗି ଚିନ୍ତାର କାରଣ ହୋଇଛି। ରାଜ୍ୟରେ ଦଳିତଙ୍କୁ ଉପଯୁକ୍ତ ସ୍ଥାନ ନ ମିଳିବା, ମୁଖ୍ୟମନ୍ତ୍ରୀଙ୍କ କୋଟେରି ନୀତି ଯୋଗୁ ତାଙ୍କ ନିକଟରେ ସାଧାରଣ ଜନତା ପହଞ୍ଚି ନ ପାରିବା ଆଦି କାରଣକୁ ନେଇ ଦଳରେ ଅମରିନ୍ଦରଙ୍କୁ ବିରୋଧ କରାଯାଇ ଆସୁଛି । ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ରାଜ୍ୟରେ ଚାଲିଥିବା ଡ୍ରାମା ଦଳକୁ ଅଧିକ ସଂକଟଗ୍ରସ୍ତ କରିଛି ।

ଏହା ପୂର୍ବରୁ କେତେକ କଂଗ୍ରେସ ବିଧାୟକଙ୍କ ପୁଅଙ୍କୁ ସରକାରୀ ଚାକିରି ଦେବା ଲାଗି ପଞ୍ଜାବ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା । ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବା ଲାଗି ରାଜ୍ୟ କଂଗ୍ରେସ ମୁଖ୍ୟ ଓ ଦୁଇ ଜଣ ଦଳୀୟ ବିଧାୟକ ଦାବି କରିବା ପରେ ଅମିରନ୍ଦରଙ୍କ ଲାଗି ଅଡୁଆ ବଢିଥିଲା ।

Leave a Reply