ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ନାତି ଆଣିଲେ ଆରୋପ, କହିଲେ କଂଗ୍ରେସର ରାଓଙ୍କୁ ସମ୍ମାନ ଲୋକ ଦେଖାଣିଆ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହା ରାଓଙ୍କ ୧୦୦ତମ ଜନ୍ମଦିନରେ କଂଗ୍ରେସ ମୁଖ୍ୟାଳୟରେ ଶୁକ୍ରବାର ଦିନ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧି ରାଓଙ୍କୁ ପ୍ରଶଂସା କରିଛନ୍ତି । ଏବେ ଏହା ଉପରେ ରାଜନୀତି ଆରମ୍ଭ ହୋଇ ସାରିଛି । ସୋନିଆ କହିଥିଲେ ଯେ, ନରସିଂହ ରାଓଙ୍କ ଉପଲବ୍ଧି ଓ ଯୋଗଦାନକୁ ନେଇ କଂଗ୍ରେସ ଗର୍ବ ଅନୁଭବ କରେ । ଏହାକୁ ନେଇ ରାଓଙ୍କ ନାତି ସୋନିଆ ଗାନ୍ଧୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ।

ସୋନିଆ କ’ଣ କହିଥିଲେ ?

ସୋନିଆ କହିଥିଲେ ଯେ, ରାଓ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱଗ୍ରହଣ କରିବା ସମୟରେ ଦେଶ ଗମ୍ଭୀର ଆର୍ଥିକ ସଂକଟ ଦେଇ ଗତି କରୁଥିଲା  । ରାଓଙ୍କୁ ନେତୃତ୍ୱ ପାଇଁ ଦେଶ ଅନେକ ଆହ୍ୱାନର ସଫଳ ମୁକାବିଲା କରିପାରିଥିଲା  ତେବେ ଏହା ଉପରେ ପ୍ରତିକ୍ରିୟା ରଖି ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ନାତି ତଥା ତେଲେଙ୍ଗାନା ବିଜେପି ନେତା ଏନଭି ସୁଭାଷ କଂଗ୍ରେସର ଏହି ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏନଭି ସୁରେଶ ପଚାରିଛନ୍ତି ଯେ, କଂଗ୍ରେସକୁ ନରସିଂହ ରାଓଙ୍କ ଯୋଗଦାନକୁ ସ୍ୱୀକାର କରିବାକୁ ୧୬ ବର୍ଷ ସମୟ ଲାଗିଗଲା । ରାହୁଲ ଓ ସୋନିଆ ନରସିଂହା ରାଓଙ୍କ ସହ ସଂପୃକ୍ତ କୌଣସି କାର୍ଯ୍ୟକ୍ରମରେ କେବେ ମଧ୍ୟ ଯୋଗ ଦେଇନାହାନ୍ତି । ତେବେ ଏବେ ଯଦି ଯୋଗ ଦିଅନ୍ତି ତେବେ ଏହା ପ୍ରଥମ ଯୋଗଦାନ ହେବ । ଏଏନଆଇକୁ ସୂଚନା ଦେଇ ସେ ଏଭଳି କହିଛନ୍ତି । ଉଲେଖ୍ୟଯୋଗ୍ୟ ଯେ, ଜୁନ୍ ୨୮,୧୯୨୧ରେ ଜନ୍ମିତ ନରସିଂହା ରାଓଙ୍କ ଦେହାନ୍ତ ୨୩ ଡିସେମ୍ବର ୨୦୦୪ରେ ହୋଇଥିଲା । ଏବେ କଂଗ୍ରେସ ତାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବାକୁ ଯାଉଛି।

 

୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ  ପ୍ରଧାନମନ୍ତ୍ରୀ ଭାବେ ଦେଶର ସେବା କରିଥିଲେ :

ପିଭି ନରସିଂହା ରାଓ ୨୧ ଜୁନ୍ ୧୯୯୧ରୁ ୧୬ ମେ ୧୯୯୬ ମସିହା ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ନରସିଂହ ରାଓଙ୍କ ଅମଳରେ ଭାରତରେ ଆର୍ଥିକ ଉଦାରୀକରଣ ଆରମ୍ଭ ହୋଇଥିଲା । ଗାନ୍ଧୀ ପରିବାର ସହ ନରସିଂହା ରାଓଙ୍କ ସମ୍ବନ୍ଧ ଭଲ ନଥିଲା ବୋଲି କୁହାଯାଏ । ଏପରିକି ତାଙ୍କ ଦେହାନ୍ତ ପରେ ତାଙ୍କ ମରଶରୀରକୁ କଂଗ୍ରେସ ମୁଖ୍ୟାଳୟ ମଧ୍ୟକୁ ଛଡା ଯାଇନଥିଲା । ଦିଲ୍ଲୀରେ ତାଙ୍କ ଅନ୍ତିମ ସଂସ୍କାର ହୋଇ ପାରିନଥିଲା । ଗାନ୍ଧୀ ପରିବାର ଓ ନରସିଂହା ରାଓଙ୍କ ମଧ୍ୟରେ ତିକ୍ତ ସମ୍ପର୍କ ଭାରତୀୟ ରାଜନୀତିରେ ବହୁଚର୍ଚ୍ଚିତ ଥିଲା । ଏମିତିକି ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦି ଲୋକସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେ,୨୦୦୪ରୁ ୨୦୧୪ ମଧ୍ୟରେ କଂଗ୍ରେସ କେବେ ସାର୍ବଜନନୀନ ଭାବେ ନରସିଂହା ରାଓଙ୍କୁ ପ୍ରଶଂସା କରିଛି ତାର ପ୍ରମାଣ ଦିଅନ୍ତୁ  । ତେବେ ଏବେ ସୋନିଆ ଗାନ୍ଧୀ ନରସିଂହା ରାଓଙ୍କ ପ୍ରଶଂସା କରିବା ପରେ ନରସିଂହ ରାଓଙ୍କ ପ୍ରଶଂସକମାନେ ତାଙ୍କୁ ସମାଲୋଚନା କରୁଛନ୍ତି ।

Leave a Reply