ପ୍ରଥମ ପର୍ଯ୍ୟାୟରେ ୩୯ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ, ଓ୍ବାଏନାଡରୁ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ଫୁଙ୍କିଲା ୨୦୨୪ ସାଧାରଣ ନିର୍ବାଚନ ବିଗୁଲ । ପ୍ରକାଶ କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୮ଟି ରାଜ୍ୟର ୩୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ଏଥିରେ ରାହୁଲ ଗାନ୍ଧୀଙ୍କ ନାଁ ରହିଛି । କେରଳର ଓ୍ବାଏନାଡରୁ ରାହୁଲଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ତାଲିକାରେ ୧୫ ଜଣ ସାଧାରଣ ବର୍ଗଙ୍କ ନାଁ ଥିବା ବେଳେ ଏସସି ଓ ଏସଟି ବର୍ଗରୁ ୨୪ ଜଣଙ୍କ ନାଁ ରହିଛି ।

୮ ରାଜ୍ୟ ମଧ୍ୟରେ ଛତିଶଗଡ଼, କର୍ଣ୍ଣାଟକ, କେରଳ, ମେଘାଳୟ, ନାଗାଲାଣ୍ଡ, ତେଲେଙ୍ଗାନା, ସିକ୍କିମ ଓ ତ୍ରିପୁରା ରହିଛି । କେରଳରୁ ସର୍ବାଧିକ ୧୫ ଜଣଙ୍କ ନାଁ ଘୋଷଣା ହୋଇଥିବା ବେଳେ କର୍ଣ୍ଣାଟକରୁ ୮, ଛତିଶଗଡ଼ରୁ ୬, ତେଲେଙ୍ଗାନାରୁ ୫, ମେଘାଳୟ ୨, ସିକ୍କିମ, ନାଗାଲାଣ୍ଡ ଓ ତ୍ରିପୁରାରୁ ଜଣେ ଲେଖାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି ।

ତାଲିକାରେ କଂଗ୍ରେସର ବହୁ ହେବିଓ୍ବେଟ ନେତାଙ୍କ ନାଁ ରହିଛି । ଓ୍ବାଏନାଡରୁ ରାହୁଲଙ୍କ ନାଁ ଘୋଷଣା ହୋଇଥିବା ବେଳେ ଶଶୀ ଥରୁରଙ୍କୁ ଥିରୁବନନ୍ତପୁରମର ପ୍ରାର୍ଥୀ କରାଯାଇଛି । ସେହିପରି ରାଜନନ୍ଦଗାଁରୁ ଭୂପେଶ ବଘେଲ, ବେଙ୍ଗାଲୁରୁ ରୁରାଲରୁ ଡି.କେ. ସୁରେଶ, ମହାସମୁଦରୁ ତାମ୍ରଧ୍ବଜ ସାହୁ,  ହାସନରୁ ଶ୍ରେୟାସ ପଟାଲ, ପଟାନମିଥରୁ ଆଣ୍ଟୋ ଆଣ୍ଟୋନୀ, ସିକ୍କିମରୁ ଗୋପାଳ ଛେତ୍ରୀ ଏବଂ କୋଝିକୋଡରୁ ଏମ.କେ. ରାଘବନଙ୍କ ନାଁ ଘୋଷଣା କରାଯାଇଛି ।