ନୀତିଶ ନାଇଡୁଙ୍କ ସମର୍ଥନ ନେଇ ବି ସରକାର ଗଠନ କରିବା କଂଗ୍ରେସ ପାଇଁ ଅସମ୍ଭବ

ନନ୍ଦିଘୋଷ ବ୍ୟୁରୋ: ଲୋକସଭା ନିର୍ବାଚନ ୨୦୨୪ ଫଳାଫଳ ଉଭୟ ବିଜେପି ଓ କଂଗ୍ରେସର ହାର୍ଟବିଟ୍‌ ବନ୍ଦ କରି ଦେଇଛି  । ଶାସକ ଦଳ ବିଜେପି ନିଜ ଦମ୍‌ରେ ବହୁମତ ହାସଲ କରି ପାରିନାହିଁ  । ମାତ୍ର ୨୪୨ ସିଟ୍‌ରେ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡିଛି  । ସରକାର ଗଠନ ପାଇଁ ଆବଶ୍ୟକୀୟ ୨୭୨ ଆସନ ଅଙ୍କରୁ ୩୨ଟି ଆସନ କମ ରହିଛି  । ଜେଡିୟୁ ମୁଖ୍ୟ ନୀତୀଶ କୁମାର ଓ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବେ କିଙ୍ଗମେକର୍‌ ସାଜିଥିବା ନେଇ ଚର୍ଚ୍ଚା ହେଉଛି  ।

ନିର୍ବାଚନ ପୂର୍ବରୁ ନୀତିଶ ଏବଂ ନାଇଡୁ ଦୁହେଁ ଏନଡିଏ ମେଣ୍ଟର ସହଯୋଗୀ ରହିଆସିଛନ୍ତି  । ଯାହା ସାହାଯ୍ୟରେ ଏନଡିଏ ମେଣ୍ଟ ବହୁ ସହଜରେ ସରକାର ଗଠନ କରିପାରିବେ  । କିନ୍ତୁ ବିରୋଧୀ ଦଳର କିଛି ନେତା ଦାବି କରୁଛନ୍ତି ଯେ ଯଦି ଇଣ୍ଡିଆ ମେଣ୍ଟ ନୀତିଶ ଓ ନାଇଡୁଙ୍କୁ ସାଥୀରେ ନେଇ ସରକାର ଗଠନ କରିପାରିବେ  ।କିନ୍ତୁ ନମ୍ବର ଗେମକୁ ଦେଖିଲେ ଏହା ଅସମ୍ଭବ ମନେ ହେଉଛି ।

पଇଣ୍ଡିଆ ମେଣ୍ଟକୁ ୨୩୪ ଆସନ ମିଳିଛି  । କଂଗ୍ରେସ ସବୁଠାରୁ ବଡ ଦଳ ଭାବେ ୯୯ ସିଟ୍‌ ହାସଲ କରିଛି  । ସେହିପରି ଅଖିଳେଶଙ୍କ ସମାଜବାଦୀ ପାର୍ଟି ୩୭ ଓ ମମତା ବାନାର୍ଜୀଙ୍କ ଟିଏମସି ୨୯ ଓ ଷ୍ଟାଲିନଙ୍କ ଡିଏମକେକୁ ୨୨ ଆସନ ମିଳିଛି  ।

ଇଣ୍ଡିଆ ମେଣ୍ଟକୁ ଏବେ ସରକାର ଗଠନ ପାଇଁ ଆହୁରି ୩୮ଟି ଆସନର ଆବଶ୍ୟକତା ରହିଛି  । ନିତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ପାଖରେ ସର୍ବମୋଟ ୨୮ ସିଟ୍‌ ମିଳିଛି  । ଏପରି କ୍ଷେତ୍ରରେ ଇଣ୍ଡିଆ ମେଣ୍ଟର ଅଙ୍କ ୨୬୨ରେ ପହଞ୍ଚିବ  । ଏହା ପରେ ବି ଇଣ୍ଡିଆ ମେଣ୍ଟକୁ ସରକାର ଗଠନ ପାଇଁ ଆହୁରି ୧୦ଟି ଆସନର ଆବଶ୍ୟକତା ରହିବ  ।

ଏହି ୧୦ଟି ସିଟ୍‌ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ରାସ୍ତାରେ ସବୁଠାରୁ ବଡ କଣ୍ଟା ସାବ୍ୟସ୍ତ ହୋଇପାରେ । ଏନଡିଏ ଓ ଇଣ୍ଡିଆ ମେଣ୍ଟ ବ୍ୟତୀତ ଏମିତି କୌଣସି ଦଳ ନାହାନ୍ତି ଯିଏ ଏକାକୀ ୧୦ ଟି ଆସନ ଜିତି ପାରିଛନ୍ତି  । ୭ଟି ଆଶନ ସ୍ବାଧନ ପ୍ରାର୍ଥୀ ଜିତିଥିବାବେଳେ ୧୧ଟି ଆସନ ଛୋଟ ଛୋଟ ଦଳଙ୍କ ଖାତାକୁ ଯାଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଦଳ ଏନଡିଏର ସହଯୋଗୀ ଥିବାରୁ ସେମାନେ ପୁଣି ଥରେ ଏନଡିଏକୁ ସମର୍ଥନ ଦେବାର ସମ୍ଭାବନା ରହିଛି  । ଏଭଳି କ୍ଷେତ୍ରରେ ଇଣ୍ଡିଆ ମେଣ୍ଟକୁ ଏକା ସହ ୧୦ ସାଂସଦଙ୍କ ସମର୍ଥନ ଅର୍ଥ ଲୁହା ଚଣା ଚୋବାଇବା ସହ ସମାନ  ।