ଓଡ଼ିଶାକୁ ଅଶାନ୍ତ କରିବାକୁ ବିଜେପିକୁ ଦିଆଯିବନି, ଲଢ଼େଇ ଜାରି ରହିବ: କଂଗ୍ରେସ

ଭୁବନେଶ୍ବର: ଶାନ୍ତିପ୍ରିୟ ଓଡିଶାକୁ ଅଶାନ୍ତ କରୁଛି ବିଜେପି । ବିଜେପିର ଏପରି ଆଭିମୁଖ୍ୟ ବିରୋଧରେ ବଡ଼ ଲଢେଇ ଲଢିବ କଂଗ୍ରେସ । ଓଡ଼ିଶାବାସୀଙ୍କ ସ୍ବାର୍ଥ ଓ ଅସ୍ମିତାକୁ ନେଇ ଦଳ ତୃଣମୂଳସ୍ତରରୁ ସଂସଦ ଓ ବିଧାନସଭା ଯାଏଁ ଲଢେଇ ଜୋରଦାର କରିବାକୁ ଅଣ୍ଟା ଭିଡ଼ିଛି । ସଙ୍ଗଠନକୁ ସଜାଡ଼ିବା ସହ ତୃଣମୂଳସ୍ତରରୁ ଦଳକୁ ଚଳଚଞ୍ଚଳ କରିବାକୁ ଜିଲ୍ଲା ସଭାପତିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅନ୍ୟପଟେ କିଏ କଂଗ୍ରେସ ବିଧାୟକ ଦଳ ନେତା ହେବ ସେନେଇ ଅଙ୍କ ଛିଡୁନି । ଯାହାକୁ ନେଇ କଂଗ୍ରେସ ରାଜନୀତିରେ ଲାଗି ରହିଛି ଛକାପଞ୍ଝା ।

କଂଗ୍ରେସ ଭବନକୁ ଆକ୍ରୋଶମୂଳକ ଭାବେ ଆକ୍ରମଣ କଲା ବିଜେପି । ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ମିଥ୍ୟା ଅପପ୍ରଚାର କଲା ଓ ପୋଷ୍ଟରକୁ ଗୋବର ମାଡ଼ କଲା । ଶାନ୍ତିପ୍ରିୟ ଓଡ଼ିଶାକୁ ଅଶାନ୍ତ କଲା । ବିଜେପିର ଏପରି ହିଂସାତ୍ମକ ରାଜନୀତି ବିରୋଧରେ ଋଣହୁଙ୍କାର ଦେଇଛି କଂଗ୍ରେସ । ତୃଣମୂଳସ୍ତରେ ବିଜେପି ବିରୋଧରେ ଲଢେଇ କରିବାକୁ ଲମ୍ବା ଏଜେଣ୍ଡା ପ୍ରସ୍ତୁତ କରିଛି କଂଗ୍ରେସ । ଗଠନମୂଳକ ବିରୋଧୀ ଦଳ ଭାବେ କଂଗ୍ରେସ ଏବେ ବିଜେପିର ରାଜନୈତିକ ଆଭିମୁଖ୍ୟକୁ ଜିଲ୍ଲାସ୍ତରରୁ ବିଧାନସଭା ଯାଏଁ ଦୃଢ ଭାବେ କରିବ ବିରୋଧ । କଂଗ୍ରେସ ଭବନରେ ଜିଲ୍ଲା ସଭାପତିଙ୍କୁ ନେଇ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଖସଡ଼ା ପ୍ରସ୍ତୁତ କରାଯାଇଛି । ଏହାସହ ଦଳ କାହିଁକି ତୃଣମୂଳସ୍ତରରେ ଦୁର୍ବଳ ହେଲା ଓ କ’ଣ କଲେ ପୁଣି ଅଧିକ ମଜବୁତ ହେବ, ସେନେଇ ଜିଲ୍ଲା ସଭାପତିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପିସିସି ସଭାପତି ।

ସେପଟେ କଂଗ୍ରେସ ବିଧାୟକ ଦଳ ନେତା କିଏ ହେବ, ତାହାକୁ ନେଇ ଦଳ ଭିତରେ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି । ୩ ଜଣ ବରିଷ୍ଠ ବିଧାୟକଙ୍କ ନାଁ  ହାଇକମାଣ୍ଡଙ୍କୁ ସୁପାରିଶ କରାଯାଇଛି ବୋଲି କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ କହିଛନ୍ତି । ରେସରେ ଆଗରେ ଅଛନ୍ତି ଦଳର ୫ ଥରର ବିଧାୟକ ତାରା ପ୍ରସାଦ ବାହୀନପତି । ଅଭିଜ୍ଞତା ଦୃଷ୍ଟିରୁ ଯଦି ବିଧାୟକ ଦଳ ଭାବେ ଦାୟିତ୍ବ ଦିଏ, ତେବେ ତାହାକୁ ତୁଲାଇବାକୁ ପ୍ରସ୍ତୁତ ବୋଲି ତାରା କହିଛନ୍ତି ।

ରାଜ୍ୟରେ ଏବେ ଆକ୍ସନ ମୋଡ଼କୁ ଆସିଛି କଂଗ୍ରେସ । ଦଳକୁ ଘାରିଛି ସଂଗଠନ ସଜାଡ଼ିବା ଚିନ୍ତା । ଜିଲ୍ଲାସ୍ତରରୁ ରାଜ୍ୟ ନେତୃତ୍ବ ଯାଏଁ ସଂଗଠନକୁ ସଜାଡ଼ି ଦଳ ଓଡ଼ିଶାବାସୀଙ୍କ ମନ ଜିଣିବା ପାଇଁ ପ୍ରସ୍ତୁତି ଚଲାଇଛି ।