ଆନ୍ଦୋଳନ ମୋଡରେ କଂଗ୍ରେସ ; ତାରାଙ୍କ ନିଲମ୍ବନ ନ ହଟିଲା ପର୍ଯ୍ୟନ୍ତ ବିଧାନସଭାକୁ ବୟକଟ କରିବାକୁ ନିଷ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ : କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନିଲମ୍ବନକୁ ନେଇ ଆନ୍ଦୋଳନ ମୋଡରେ କଂଗ୍ରେସ । ତାରାଙ୍କ ନିଲମ୍ବନ ନ ହଟିଲା ପର୍ଯ୍ୟନ୍ତ ବିଧାନସଭାକୁ ବୟକଟ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ। ତାରାଙ୍କୁ ୭ ଦିନ ପାଇଁ ନିଲମ୍ବନ କରିଛନ୍ତି ବାଚସ୍ପତି । ନ୍ୟାୟ ପାଇଁ ଗାନ୍ଧୀ ମୂର୍ତ୍ତି ତଳେ ଶାନ୍ତି ପୂର୍ଣ୍ଣ ଭାବରେ ବସିବେ ବିଧାୟକ ବୋଲି ଦଳ ନିଷ୍ପତ୍ତି ନେଇଛି । ସେପଟେ ତାରା ପ୍ରସାଦ ବାହିନୀପତିଙ୍କୁ ଭେଟିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ ।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ବିଧାୟକ ସାଗର ଚରଣ ଦାସ ବି ତାରାଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । କଂଗ୍ରେସ ଦଳ ତାଙ୍କ ସହିତ ଅଛି ବୋଲି ପ୍ରଭାରୀ କହିଥିବା କହିଛନ୍ତି ତାରା। ଧର୍ମର ଜୟ ହେବ। ମହିଳାମାନଙ୍କ ପାଇଁ ଦଳ ଲଢ଼ୁଛି । ମହିଳାମାନେ ଆମର ମା, ଦେବୀ, ଠାକୁରାଣୀ। ସେଥିପାଇଁ ବିଜେପି ଅସହାୟ ହୋଇପଡୁଛି । ଯେଉଁଥିପାଇଁ କଲାର ଧରି ମାରିବା ସହ ତାଙ୍କୁ ନିଲମ୍ବିତ କରିଛନ୍ତି ବୋଲି କହିଛନ୍ତି ତାରା । ସେ କହିଛନ୍ତି, ମତେ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ। ଗୃହରେ ଯାହା ଘଟିଲା ଏହା ହେଉଛି ବିଜେପିର ଗଣତନ୍ତ୍ର ଓ ଓଡ଼ିଆ ଅସ୍ମିତା। ପବିତ୍ର ଗୃହରେ ମା ମାଉସୀ ନେଇ ଗାଳି କରିବା ହେଉଛି ବିଜେପିର ଆଚରଣ ଉଚ୍ଚାରଣ। ମୋର ପ୍ରଶ୍ନ ତାଙ୍କୁ ବାଣ ଭଳିଆ ଭେଦିଥିଲା। ଜୟ ନାରାୟଣ ମିଶ୍ରଙ୍କୁ ମୁଁ ଉଚିତ୍ ଜବାବ ଦେଇ ପାରିଥାନ୍ତି କିନ୍ତୁ ଗଣତନ୍ତ୍ର ମନ୍ଦିରରେ କଂଗ୍ରେସ ଶାଳୀନତା ଭୁଲି ନାହିଁ ବୋଲି ସେ କହିଛନ୍ତି। କିନ୍ତୁ ସେ ଡ଼ରିଯିବାର ନାହିଁ। ବିଜେପି ଫାଶୀ ଦେଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି ତାରା।
ମହିଳାମାନଙ୍କ ପାଇଁ ଲଢେଇ ଜାରି ରହିବ । ମହିଳା, ଗରିବ, ଖଟିଖିଆଙ୍କ ପାଇଁ ସମସ୍ତେ ଲଢନ୍ତୁ ଓ କଂଗ୍ରେସ ସେମାନଙ୍କ ସହ ଅଛି ବୋଲି ପ୍ରଭାରୀ ଲଲୁ ତାରାଙ୍କୁ କହିଛନ୍ତି। ସାରା ଓଡ଼ିଶାର ୮୫ ନେତା ଆସୁଛନ୍ତି। ଏ ପ୍ରସଙ୍ଗରେ ଦଳ କି ଆଭିମୁଖ୍ଯ ଗ୍ରହଣ କରିବ ସେ ନିଷ୍ପତ୍ତି ନିଆଯିବ। ସେପଟେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିବା କଂଗ୍ରେସ ବିଧାୟକଙ୍କୁ ବୁଝାସୁଝା କରିଛନ୍ତି ଶାସକ ଦଳର ବିଧାୟକ ।