spot_img

Latest Posts

ବିଧାନସଭା ମୁଲତବି ପରେ ବି ଥମୁନି କଳି, ଗୃହ ବାହାରେ ମୁହାଁମୁହିଁ ବିଜେପି ଓ କଂଗ୍ରେସ

ଭୁବନେଶ୍ବର : ଗୁରୁବାର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି କରିଥିଲେ ବାଚସ୍ପତି। ଏହାପରେ ବି ବିଧାନସଭାକୁ ନେଇ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ଥମୁନି ବାକଯୁଦ୍ଧ। ଗୃହ ମୁଲତବି ପରେ ନିଲମ୍ବିତ କଂଗ୍ରେସ ବିଧାୟକଙ୍କୁ କାହା ନିର୍ଦ୍ଦେଶରେ ପୋଲିସ ରାତି ୨ଟା ୧୫ରେ ଜୋର ଜବରଦସ୍ତ ବିଦା କଲା ? ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ଅଭିଯୋଗ କରିଛନ୍ତି ଯେ, ବିଧାନସଭା ମୁଲତବି ହେବା ପରେ ବିଧାୟକଙ୍କୁ ଗୃହରୁ ବିଦା କରିବା ପାଇଁ ବାଚସ୍ପତିଙ୍କର କୌଣସି ଅଧିକାର ନାହିଁ। କଂଗ୍ରେସ ବିଧାୟକଙ୍କ ପ୍ରତି ଏପରି ଅଗଣତାନ୍ତ୍ରିକ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ରାଜ୍ୟପାଳ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଦଳ। ଏନେଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦରକାର ପଡ଼ିଲେ ବିଚାର ବିଭାଗୀୟ ଆଶ୍ରୟ ନିଆଯିବ ବୋଲି ଚେତାବନୀ ଦେଇଛି କଂଗ୍ରେସ।

କେବଳ ସେତିକି ନୁହେଁ, ପୋଲିସ ଏବେ ରାଜନୈତିକ କର୍ମୀ ସାଜି କାମ କରୁଛି । ତେଣୁ ପୋଲିସ ନିଜ କାର୍ଯ୍ୟ ସଠିକ ଭାବେ ତୁଲାଇବା ସହ ରାଜନୈତିକ କର୍ମୀ ନସାଜୁ ବୋଲି ପରାମର୍ଶ ଦେଇଛି କଂଗ୍ରେସ। ସେପଟେ କଂଗ୍ରେସର ଅଭିଯୋଗ ପରେ ଉତ୍ତର ରଖିଛି ଶାସକ ବିଜେପି। ବିଧାନସଭାର ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଅନ୍ୟପଟେ ସମସ୍ତଙ୍କୁ ସାଙ୍ଗରେ ନେଇ ଗୃହ ଚାଲିବାର ଥିଲା ବୋଲି ମତ ରଖିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ। କଂଗ୍ରେସ ବିଧାୟକଙ୍କ ପ୍ରତି ଆକ୍ରୋଶମୂଳକ ପଦକ୍ଷେପକୁ ନେଇ ତେଜିଛି ରାଜନୀତି। ପ୍ରଶ୍ନ ଉଠିଛି, ଗଣତନ୍ତ୍ରକୁ କିଏ କରିଛି ହତ୍ୟା ? ଯାହାକୁ ନେଇ ବିଧାନସଭା ବାହାରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ।

Latest Posts

Don't Miss