କଂଗ୍ରେସର ୬ ଘଣ୍ଟିଆ ହରତାଳକୁ ବିଜେଡିର ସମାଲୋଚନା

ଭୁବନେଶ୍ୱର: କଂଗ୍ରେସର ୬ ଘଣ୍ଟିଆ ହରତାଳକୁ ନେଇ ଦଳକୁ ତୀବ୍ର ସମାଲୋଚନା କରିଛି ବିଜୁ ଜନତା ଦଳ। କଂଗ୍ରେସର ହରତାଳକୁ ନିଷ୍ଠୁରତା ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି। ମମିତାଙ୍କୁ ନେଇ ରାଜନୀତି ନକରିବାକୁ ମମିତାଙ୍କ ବାପା ହାତ ଯୋଡି ସମସ୍ତଙ୍କୁ ଅନୁରୋଧ କରିଥିଲେ । ରାଜନେତାମାନେ ତାଙ୍କ ଘରକୁ ବାରମ୍ବାର ନଯିବାକୁ ମଧ୍ୟ ଅନୁରୋଧ କରିଥିଲେ।

ସ୍ପର୍ଶକାତର ଘଟଣାରେ ପରିବାର ପ୍ରତି ସମବେଦନା ରହିବା ଆବଶ୍ୟକ। କିନ୍ତୁ ପୀଡ଼ିତାଙ୍କ ବାପାଙ୍କ ପ୍ରତି ସମବେଦନା ବଦଳରେ ଶସ୍ତା ରାଜନୀତି କରୁଛନ୍ତି ବିରୋଧୀ। ହରତାଳରେ କଂଗ୍ରେସ କର୍ମୀ ଓ ନେତାମାନେ ମଧ୍ୟ ସାମିଲ ହୋଇନାହାନ୍ତି। ଏଥିରୁ କଂଗ୍ରେସ ଶିକ୍ଷା ଲାଭ ନକରି ସ୍ପର୍ଶକାତର ପ୍ରସଙ୍ଗରେ ରାଜନୀତି କଲେ ରାଜ୍ୟରେ ତାଙ୍କ ଦଳର ସ୍ଥିତି ଶେଷ ହୋଇଯିବ ବୋଲି ବିଜେଡି କହିଛି।

ଓଡିଶା କଂଗ୍ରେସ ବିଜେପି ଦ୍ବାରା ପ୍ରାୟୋଜିତ ହୋଇ ହରତାଳ କରିଥିଲେ। ଓଡିଶାରେ ବିଜେପିର ବି ଟିମ ହୋଇଛି ରାଜ୍ୟ କଂଗ୍ରେସ। ଏହି ବିଫଳତା ବିଜେପି ଓ କଂଗ୍ରେସ ପାଇଁ ସ୍ପଷ୍ଟ ସଙ୍କେତ ଦେଇଛି ବୋଲି କହିଛି ବିଜେଡି।  ଓଡିଶା କଂଗ୍ରେସ କିନ୍ତୁ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗରେ ନିରବ ରହୁଛି । ଆଜିର ବିଫଳତାରୁ ଓଡିଶା କଂଗ୍ରେସ ଅପ୍ରାସଙ୍ଗିକ ହୋଇପଡ଼ିଥିବା ପ୍ରତିପାଦିତ ହେଉଛି । ଏହାସହ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଥିବା ମଧ୍ୟ ପ୍ରମାଣିତ ହୋଇଛି ।

ପ୍ରତ୍ୟେକ ଗୋଷ୍ଠୀ ବିଜେପି ଦ୍ବାରା ଭିନ୍ନ ଭିନ୍ନ ଭାବେ ପ୍ରାୟୋଜିତ ହେଉଛନ୍ତି । କୌଣସି ଗୋଷ୍ଠୀ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଚିନ୍ତା କରୁନାହାନ୍ତି । ଖାଲି ସେତିକି ନୁହେଁ, ବିଜେପି ଓ କଂଗ୍ରେସ ମଧ୍ୟରେ ହୋଇଛି ଅଘୋଷିତ ମେଣ୍ଟ । ଆଗାମୀ ଦିନରେ ରାଜ୍ୟବାସୀ କଂଗ୍ରେସକୁ ଉଚିତ ଜବାବ ଦେବେ ବୋଲି ସସ୍ମିତ ପାତ୍ର କହିଛନ୍ତି। ଓଡିଶା କଂଗ୍ରେସର ହରତାଳ ଅତ୍ୟନ୍ତ ହାସ୍ୟାସ୍ପଦ । ପଞ୍ଚାୟତ ନିର୍ବାଚନ ଯାଏଁ କଂଗ୍ରେସ ଓ ବିଜେପି ଏଭଳି ରାଜନୀତି କରୁଥିବେ । ଶସ୍ତା ରାଜନୀତି କରି ପୀଡିତାଙ୍କ ପରିବାରକୁ ଯନ୍ତ୍ରଣା ଦିଅନ୍ତୁ ନାହିଁ ବୋଲି ବିଜେଡି କହିଛି । କୁନ୍ଦୁଲି ଓ ଇତିଶ୍ରୀ ଘଟଣାରେ ମଧ୍ୟ ବିରୋଧୀ ଏଭଳି ରାଜନୀତି କରିଥିଲେ । ସତ ପଦାକୁ ଆସିଲା, ବିରୋଧୀଙ୍କୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରିଥିଲେ । ରାଜ୍ୟବାସୀ ନବୀନ ପଟ୍ଟନାୟକଙ୍କ ସହ ଥିଲେ ଓ ରହିବେ । ହୀନ ରାଜନୀତିରୁ ଦୂରେଇ ରୁହନ୍ତୁ, ନଚେତ୍ ରାଜ୍ୟବାସୀ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିବେ ବୋଲି ପ୍ରେସମିଟରେ ବିଜେଡି ପକ୍ଷରୁ କୁହାଯାଇଛି।

Leave a Reply