ସନିଙ୍କ ବଙ୍ଗଳା ନିଲାମ ଆଦେଶ ୨୪ ଘଣ୍ଟା ଭିତରେ ବାତିଲ, କଂଗ୍ରେସ ପଚାରିଲା କାହିଁକି ?

1 min read

ମୁମ୍ବାଇ: ଅଭନେତା ସନ୍ନି ଦେଓଲଙ୍କୁ ଆଶ୍ବସ୍ତି । ମୁମ୍ବାଇ ଜୁହୁ ବଙ୍ଗଳା ଲାଗି ବ୍ୟାଙ୍କ ଅଫ ବରୋଦା ଯେଉଁ ଇ-ନିଲାମ ନୋଟିସ ଜାରି କରିଥିଲା ତାହାକୁ ପ୍ରତ୍ୟାହାର କରିଛି । ଏଥିଲାଗି କେତେକ ବୈଷୟିକ କାରଣ ଉପସ୍ଥାପନ କରିଛି ବ୍ୟାଙ୍କ । ସନ୍ନି ଦେଓଲଙ୍କୁ ବ୍ୟାଙ୍କ ଅଫ ବରୋଦା ଯେଉଁ ଋଣ ଦେଇଥିଲା ତାହାର ପରିମାଣ ୫୬ କୋଟି ହୋଇଥିଲା ବୋଲି ସୂଚନା ମିଳିଛି ।

ଏହି ଟଙ୍କା ଲାଗି ଗତ ୨୦ ତାରିଖରେ ଇ-ନିଲାମ ନୋଟିସ ଜାରି କରିଥିଲା ବ୍ୟାଙ୍କ । ତେବେ ଋଣ ଉପରେ ଯେଉଁ ସୁଧ ରହିଛି ତାହାକୁ ଆଦାୟ କରିବା ଲାଗି ବ୍ୟାଙ୍କ ପଦକ୍ଷେପ ନେଇଛି । ଗତ ଅଗଷ୍ଟ ୨୦ ତାରିଖରେ କେତେକ ଜାତୀୟ ଗଣମାଧ୍ୟରେ ଇ-ନିଲାମ ନୋଟିସ ଜାରି କରିଥିଲା ବ୍ୟାଙ୍କ । ନିଲାମ ନୋଟିସ ପ୍ରସଙ୍ଗରେ ସନ୍ନି ଦେଓଲଙ୍କ ଟିମ୍ କହିଥିଲେ- ଯେଉଁ ଋଣ ପରିମାଣ ବ୍ୟାଙ୍କ ପକ୍ଷରୁ ଦର୍ଶାଯାଇଛି ତାହା ଠିକ୍ ନୁହେଁ ।

ଏହି ଦେୟକୁ ଖୁବ୍ ଶୀଘ୍ର ସୁଝି ଦିଆଯିବ । ଋଣ କ୍ଷେତ୍ରରେ ସନ୍ନିଙ୍କ ଭାଇ ବବି ଦେଓଲ, ବାପା ଧର୍ମେନ୍ଦ୍ର, ସନ୍ନି ଦେଓଲଙ୍କ କମ୍ପାନୀ ସନ୍ନି ସାଉଣ୍ଡ୍ସ ପ୍ରାଇଭେଟ ଲିମିଟେଡ ଗ୍ୟାରେଣ୍ଟର ଭାବେ ପଡିଥିଲେ । ସନ୍ନିଙ୍କ ନାମରେ ଥିବା ସନ୍ନି ଭିଲା ମୁମ୍ବାଇ ଜୁହୁସ୍ଥିତ ଗାନ୍ଧିଗ୍ରାମ ରୋଡରେ ଅବସ୍ଥିତ । ୫୯୯ ବର୍ଗ ମିଟର ଇଲାକାରେ ଏହା ପ୍ରତିଷ୍ଠିତ । ସେପଟେ ଏହି ଘଟଣାକୁ ନେଇ ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ମାତ୍ର ୨୪ ଘଣ୍ଟା ଭିତରେ କିପରି ବ୍ୟାଙ୍କ ନୋଟିସ ବଦଳିଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।