ଦିଲ୍ଲୀରେ ଅଲଗା ଅଲଗା ନିର୍ବାଚନ ଲଢ଼ିବେ କି ଆପ- କଂଗ୍ରେସ ?

1 min read

ନନ୍ଦିଘୋଷ ବ୍ୟୁରୋ: ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଥିବା ଆପ ଏକ ବଡ଼ ନିଷ୍ପତ୍ତି ନେଇପାରେ । ୭ ମାସ ପରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଇଣ୍ଡିଆ ମେଣ୍ଟ ନିଷ୍ପତ୍ତି ଅନୁସାରେ ନିର୍ବାଚନ ନଲଢ଼ି ଏକାକୀ ନିର୍ବାଚନ ଲଢ଼ିବ ବୋଲି ରାଜେନୖତିକ ମହଲରେ ଚର୍ଚ୍ଚା ହେଉଛି । କୁହାଯାଉଛି କି, ଆପ ଏବଂ କଂଗ୍ରେସ ଅଲଗା ଅଲଗା ନିର୍ବାଚନ ଲଢ଼ିପାରନ୍ତି । କଂଗ୍ରେସ ସହ ମିଶି ନିର୍ବାଚନ ଲଢ଼ିଲେ ଆପ କ୍ଷତି ସହିବ । ଯାହାକୁ ଲକ୍ଷ୍ୟ କରି ଏଭଳି ନିଷ୍ପତ୍ତି ନେବାକୁ ଯାଉଥିବା କୁହାଯାଉଛି । ସେପଟେ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିବ ବିଜେପି । ଲୋକସଭା ନିର୍ବାଚନରେ କଂଗ୍ରେସ-ଆପ ମିଳିତଭାବେ ପ୍ରାର୍ଥୀ ଦେଇଥିଲେ । କିନ୍ତୁ ବିଧାନସଭାରେ ଆପ ଏକାକୀ ଲଢ଼ିବାକୁ ଯାଉଛି । ଲୋକସଭା ନିର୍ବାଚନ ସମୟରେ କଂଗ୍ରେସକୁ ୩ ଆସନ ଛାଡ଼ିଥିଲା ଆପ । ଉତ୍ତର-ପଶ୍ଚିମ ଦିଲ୍ଲୀ, ଉତ୍ତର ପୂର୍ବ ଦିଲ୍ଲୀ ଏବଂ ଚାନ୍ଦିନୀ ଚୌକରେ କଂଗ୍ରେସ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ । ମାତ୍ର ଶୋଚନୀୟ ପରାଜୟ ବରଣ କରିବାକୁ ପଡ଼ିଥିଲା । ପରାଜୟର କାରଣ ଖୋଜାଯାଉଥିବାବେଳେ ଆପ ନେତାଙ୍କ ସହ କଂଗ୍ରେସ ନେତାଙ୍କ ସାମଞ୍ଜସ୍ୟ ରହିନଥିବା କାରଣରୁ ଏଭଳି ପରାଜୟ ହୋଇଥିବା କୁହାଯାଉଛି ।

ଯଦି ୧୦ ବର୍ଷର ଦିଲ୍ଲୀ ନିର୍ବାଚନ ଉପରେ ନଜର ପକାଇବା ତାହେଲେ ଲୋକସଭାରେ ବିଜେପି ଅଗ୍ରଗତି କରୁଥିବାବେଳେ ବିଧାନସଭା ନିର୍ବାଚନରେ ଆପ୍ ଏକପାଖିଆ ଭାବେ ଜିତୁଛି । ସେପଟେ ବିଧାନସଭା ଏବଂ ଲୋକସଭାରେ କଂଗ୍ରେସର ସ୍ଥିତି ଭଲନାହିଁ । ଏଣୁ ଆପ ଏକାକୀ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛି । ଦିଲ୍ଲୀର ୭୦ ଆସନରୁ ୧୨ ସଂରକ୍ଷିତ ଆସନ । ତେବେ ୨୦୨୦ ବିଧାନସଭା ନିର୍ବଚନରେ ଆପ ୬୦ ଆସନରେ ବିଜୟୀ ହୋଇଥିଲା ।