କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ଲାଗି କଂଗ୍ରେସର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଏଥିରେ ୪ ରାଜ୍ୟର ୪୩ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ମିଳିଛି ଲୋକସଭା ନିର୍ବାଚନ ଲାଗି କଂଗ୍ରେସ ଟିକେଟ ।

ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥଙ୍କ ପୁଅ ନକୁଳ ନାଥଙ୍କୁ ଟିକେଟ ମିଳିଛି । ସେ ମଧ୍ୟପ୍ରଦେଶ ଛିନ୍ଦୱାଡା ଆସନରୁ ନିର୍ବାଚନ ଲଢିବେ । ସେହିପରି ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ଜାଲୌର ଆସନରୁ କଂଗ୍ରେସ ଟିକେଟ ଦେଇଛି । ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କୁ ପୁଅ ଗୌରବ ଗୋଗଇଙ୍କୁ ଜୋରହାଟ ଆସନରୁ ଟିକେଟ ମିଳିଛି । ଏହାସହ ନିକଟରେ ବିଜେପିରୁ ଆସି କଂଗ୍ରେସରେ ସାମିଲ ହୋଇଥିବା ରାହୁଲ କାସୱାଁଙ୍କୁ ଚୁରୁ ଆସନରୁ ଟିକେଟ ମିଳିଛି । ରାହୁଲ କାସୱାଁ ବିଜେପିରୁ ସାଂସଦ ଥିଲେ ।

କଂଗ୍ରେସ ମହାସଚିବ କେସି ବେଣୁଗୋପାଳ କଂଗ୍ରେସର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଆଜି ଘୋଷଣା ହୋଇଥିବା ୪୩ ପ୍ରାର୍ଥୀ ତାଲିକା ମଧ୍ୟରୁ ୧୦ ସାଧାରଣ ପ୍ରାର୍ଥୀ ଥିବାବେଳେ ୧୩ ଓବିସି, ୧୦ ଅନୁସୂଚିତ ଜାତି ଓ ୯ ଜଣ ଅନୁସୂଚିତ ଜନଜାତି ବର୍ଗର ଅଛନ୍ତି । କଂଗ୍ରେସର ଆଜିର ପ୍ରାର୍ଥୀ ତାଲିକା ମଧ୍ୟରେ ଜଣେ ମୁସଲିମ ପ୍ରାର୍ଥୀ ଅଛନ୍ତି ।ଏହା ପୂର୍ବରୁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଛି ଏଆଇସିସି । ତେବେ ପ୍ରଥମ କିମ୍ବା ଦ୍ଵିତୀୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ କେହି ଜଣଙ୍କର ବି ନାଁ ଘୋଷଣା ହୋଇନାହିଁ । ପ୍ରଥମ ତାଲିକାରେ ୩୯ ପ୍ରାର୍ଥୀଙ୍କ ନାଁ ପ୍ରକାଶ ପାଇଥିଲା ଦଳ ।