ନିର୍ବାଚନ ସମୟରେ ହିସାବ ଗଣିତକୁ ନେଇ ମୁହାଁମୁହିଁ କଂଗ୍ରେସ ଓ ବିଜେପି

ଭୁବନେଶ୍ୱର: କେନ୍ଦ୍ର ସରକାର ଓଡିଶା ଠାରୁ କେତେ ନେଉଛନ୍ତି ଓ କେତେ ଦେଉଛନ୍ତି । କେତେ ଟଙ୍କା ଦେଇଛନ୍ତି ଓ କେତେ ଟଙ୍କା ଓଡ଼ିଶା ହରାଇଛି । ତାହାକୁ ନେଇ ପୁଣି ଆରମ୍ଭ ହୋଇଛି ରାଜନୀତି ଗଣିତ । ଉପ ନିର୍ବାଚନ ସମୟରେ ଏହି ହିସାବ ଗଣିତକୁ ନେଇ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି । ଏହାର ସତ ପଦାକୁ ଆସିବାକୁ ହେଲେ ଏକ ଖୋଲା ବିତର୍କକୁ ବିଜେପି ଆସୁ ବୋଲି କଂଗ୍ରେସ କହିଛି । ସେପଟେ କଂଗ୍ରେସ ଅଭିଯୋଗ କରିଛି ମୋଦି ସରକାର କମ ଦେଇ ଅଧିକ ପ୍ରଚାର କରୁଛି ।

ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁଗୋ ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ହିସାବ ଦେଇ ଟାର୍ଗେଟ କରିଛନ୍ତି । ତାଙ୍କର ଯୁକ୍ତି ହେଉଛି ୫ ବର୍ଷ ହେବ କୋଇଲା ରୟାଲିଟି ସଂଶୋଧନ କେନ୍ଦ୍ର ସରକାର କରିନଥିବାରୁ ରାଜ୍ୟ ୭ ହଜାର କୋଟିରୁ ଅଧିକ ହରାଇଲା । କୋଇଲା ସେସ ବାବଦକୁ ୧୮ହଜାର କୋଟି ନେଇ ଓଡିଶାକୁ କେତେ ମିଳିଛି, ଚତୃଦଶ ଅର୍ଥ କମିଶନ ୪୨ପ୍ରତିଶତ ବଦଳରେ ୪୧ପ୍ରତିଶତ ଦେବା, ଜିଏସ୍‌ଟି ବାକି ନଦେବା ଆଦି ପ୍ରସଙ୍ଗ କରି ବିଜେପିକୁ ଘେରିଛି ଦଳ । ଅନ୍ୟପଟେ କଂଗ୍ରେସ ଅଭିଯୋଗର କଡା ଜବାବ ଦେଇଛି ବିଜେପି । ଦଳ କହିଛି କେନ୍ଦ୍ର ସରକାର ମାଗିବା ପୂର୍ବରୁ ଓଡିଶାକୁ ଟଙ୍କା ପଠାଉଛି ।

ସେପଟେ କେନ୍ଦ୍ର ସରକାର ଓଡିଶାରୁ କେତେ ଦେଉଛନ୍ତି ତାହାର ହିସାବ ହେବା ସହ କେତେ ପାଉଛନ୍ତି ତାହାର ହିସାବ ହେବା ଆବଶ୍ୟକ ବୋଲି ବିଜେଡି କହିଛି । ଓଡିଶାକୁ ଅନେକ ସମୟରେ ତାହାର ହକରୁ ବଞ୍ଚିତ କରାଯାଉଥିବା ଦଳ କହିଛି । ନିର୍ବାଚନ ସମୟ ଆସିଲେ କେନ୍ଦ୍ର ଟଙ୍କାର ହିସାବ ରାଜନୀତିର ପୁରୁଣା ଟେପ ବାଜେ । ଯାହା ବାଲେଶ୍ୱର ଓ ତିର୍ତୋଲ ଉପ ନିର୍ବାଚନରୁ ଆରମ୍ଭ ହୋଇ ଏଵେ ରାଜଧାନୀରେ ପହଞ୍ଚିଛି ।

Leave a Reply