କଂଗ୍ରେସର ଆଶଙ୍କା: ନୂଆ ସରକାର ଓଡ଼ିଶା ଜଙ୍ଗଲ, ଜମି, ଖଣି ଓ ପାଣି ବିକି ଦେବେ

ଭୁବନେଶ୍ବର: ପ୍ରଦର୍ଶନ ନେଇ ଜୋସରେ କଂଗ୍ରେସ । ରାଜ୍ଯବାସୀଙ୍କୁ ଧନ୍ୟବାଦ ଦେବା ସହ କଲା ସତର୍କ । ପିସିସି ପ୍ରଭାରୀଙ୍କ ଆଶଙ୍କା, ସୁଟ୍ ବୁଟ୍ ପିନ୍ଧା ନେତା ଓଡ଼ିଶାର ଜମି, ଖଣି ଓ ପାଣି ବିକି ଦେବେ । ୨୦୧୯ରେ ରାଜ୍ୟରେ ଏକ ଅଙ୍କ ଭିତରେ ସୀମିତ ଥିଲା କଂଗ୍ରେସ । ୨୦୨୪ରେ ଓଡ଼ିଶାବାସୀ ୧୪ ଜଣ ବିଧାୟକଙ୍କୁ ନିର୍ବାଚିତ କରିବା ସହ ପୁଣି କୋରାପୁଟ ସାଂସଦଙ୍କୁ ବିଜୟ ମୁକୁଟ ପିନ୍ଧାଇଛନ୍ତି । କେନ୍ଦ୍ରରେ ବି କଂଗ୍ରେସ ଭଲ ପ୍ରଦର୍ଶନ କରିଛି । ଓଡ଼ିଶାରେ ଶାସନ ପରିବର୍ତ୍ତନ ପରେ ଓଡ଼ିଶାବାସୀଙ୍କୁ ସତର୍କ କରାଇଦେଇଛି ଦଳ ।

ପିସିସି ପ୍ରଭାରୀ ଅଜୟ କୁମାର ଆଶଙ୍କା କରିଛନ୍ତି ଯେ, ଓଡ଼ିଶାର ବରବାଦୀ ଆରମ୍ଭ ହେବାକୁ ଯାଉଛି । ବହୁ ସୁଟ ବାଲା ଓଡ଼ିଶାର ଜଙ୍ଗଲ, ଜମି ଓ ପାଣି ବିକିବାକୁ ଆସିଛନ୍ତି । ଏପରିକି ଓଡ଼ିଶାବାସୀ ନିଜ ଘର ଖଣ୍ଡେ ସୁରକ୍ଷିତ ରଖିପାରିବେ ନାହିଁ । ଛତିଶଗଡ଼ର ଉଦାହରଣ ଦେଇ ଏପରି ଅଭିଯୋଗ କରିଛନ୍ତି ପିସିସି ପ୍ରଭାରୀ ଅଜୟ କୁମାର ଓ ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ମାଲୁଭଟୀ ବିକ୍ରମାର୍କା । ଯଦି ଏପରି ହୁଏ, କଂଗ୍ରେସ  ଲଢ଼େଇ କରିବ ବୋଲି ସେମାନେ କହିଛନ୍ତି ।

ମିଶନ ୯ରୁ ୯୦ ଫେଲ ମାରିବା ପରେ କଂଗ୍ରେସର ବିଫଳତା ପାଇଁ ନୈତିକତା ଦୃଷ୍ଟିରୁ ନିଜ ମୁଣ୍ଡକୁ ଦାୟିତ୍ବ ନେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଆଗକୁ ଓଡ଼ିଶାରେ କିପରି କଂଗ୍ରେସ କ୍ଷମତାକୁ ଫେରିବ ସେ ଚେଷ୍ଟା ଜାରି ରଖିବେ ବୋଲି ସେ କହିଛନ୍ତି ।

ସେପଟେ କଂଗ୍ରେସରେ ଥାଇ ଦଳ ବିରୋଧୀ କାମ କରିଥିବା ନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦିଆଯାଇଛି । ନିର୍ବାଚନରେ ଦଳ ପାଇଁ ପରିଶ୍ରମ କରିଥିବା ନେତାଙ୍କୁ ସଂଗଠନରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯିବ ବୋଲି ପିସିସି ସଭାପତି କହିଛନ୍ତି ।

୨୦୨୪ରେ ଓଡ଼ିଶାରେ କଂଗ୍ରେସର ବିଧାନସଭା ଆସନ ବୃଦ୍ଧି ପାଇଥିଲେ ମଧ୍ୟ ଭୋଟ ହାର କମିଛି । ଆଗକୁ ସଂଗଠନରେ ବଡ଼ ପରିବର୍ତ୍ତନ ସହ ତୃଣମୂଳସ୍ତରରୁ ଦଳକୁ ମଜଭୁତ କରିବା ପାଇଁ ଏବେଠାରୁ ଅଣ୍ଟା ଭିଡ଼ିଲାଣି କଂଗ୍ରେସ ।