ପୁଣି ଏକ ଚିଠିରେ ‘ପ୍ରାଇମ ମିନିଷ୍ଟର ଅଫ ଭାରତ’ ଉଲ୍ଲେଖ, ତାତିଲା କଂଗ୍ରେସ

1 min read

ନୂଆଦିଲ୍ଲୀ: ଇଣ୍ଡିଆ ବନାମ ଭାରତକୁ ନେଇ ଜାରି ରହିଛି ବିବାଦ । ଗ୍ରୁପ୨୦ ନେତାଙ୍କ ନୈଶ୍ୟ ଭୋଜି ଲାଗି ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଉଲ୍ଲେଖ ଥିବାବେଳେ ଅନ୍ୟ ଏକ ପତ୍ରରେ ପ୍ରାଇମ ମିନିଷ୍ଟର ଅଫ ଭାରତ ଲେଖାଯିବାକୁ ନେଇ ବଢିଛି ବିବାଦ ।

ବିଂଶତମ ଏସିଆନ-ଇଣ୍ଡିଆ ସମ୍ମିଳନୀ ଓ ଅଷ୍ଟାଦଶତମ ପୂର୍ବ ଏସିଆ ସମ୍ମିଳନୀ ଲାଗି ପ୍ରସାରିତ ପତ୍ରରେ ପ୍ରାଇମ ମିନିଷ୍ଟର ଅଫ ଭାରତ ଲେଖାଯାଇଛି । ଏହି ପ୍ରସଙ୍ଗକୁ ନେଇ କଟାକ୍ଷ କରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ । ସେ କହିଛନ୍ତି ବିରୋଧୀ ମେଣ୍ଟର ନାମ ଇଣ୍ଡିଆ ରହିବାରୁ ହିଁ ଏସବୁ ନାଟକ ଚାଲିଛି ।

ଆସନ୍ତା ୧୮ରୁ ୨୨ ଯାଏ ସଂସଦ ଅଧିବେଶନ ବସିବାକୁ ଯାଉଥିବାବେଳେ ଗ୍ରୁପ-୨୦ ସମ୍ମିଳନୀ ୯ ଓ ୧୦ରେ ଅନୁଷ୍ଠିତ ହେବ । ସେହିପରି ବିଭିନ୍ନ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯିବା ପୂର୍ବରୁ ଭାରତ ଓ ଇଣ୍ଡିଆକୁ ନେଇ ବିବାଦ ନାଟକୀୟ ପରିସ୍ଥିତି ସୃଷ୍ଟି କରିଛି । । ସେହିପରି କଂଗ୍ରେସ ନେତା ଶଶୀ ଥରୁର କହିଛନ୍ତି- ଇଣ୍ଡିଆକୁ ଭାରତ ବୋଲି କହିବାରେ ସେପରି କୌଣସି ସାମ୍ବିଧାନିକ ପ୍ରତିବନ୍ଧକ ନାହିଁ ।

ତେବେ ଶହ ଶହ ବର୍ଷ ଧରି ଚାଲିଆସିଥିବା ଇଣ୍ଡିଆ ଶବ୍ଦକୁ ହଟାଇଦେବା ବୋକାମୀ ହେବ । ଇଣ୍ଡିଆ ନାମକୁ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନା ବିରୋଧ କରିଥିଲେ ବୋଲି ସେ କହିଛନ୍ତି ।