ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି, ବିଧାନସଭା ଉପରେ ବାଚସ୍ପତିଙ୍କ କୌଣସି କର୍ତ୍ତୃତ୍ୱ ନାହିଁ: କଂଗ୍ରେସ

ଭୁବନେଶ୍ବର: ବିଧାନସଭାରେ କାଲି ଯାହା ଘଟିଲା ତାହା ଅସାମ୍ବିଧାନିକ । ବିଧାନସଭା ଉପରେ ବାଚସ୍ପତିଙ୍କ କୌଣସି କର୍ତ୍ତୃତ୍ୱ ନାହିଁ। ପୋଲିସ ବିଧାନସଭାକୁ କବ୍ଜାକୁ ନେଇଛି । ଦଳର ୫ଜଣ ବରିଷ୍ଠ ନେତା ତଥା ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ବିଧାନସଭା ଭିତରକୁ ଯିବା ପାଇଁ ଅନୁମତି ମାଗିଥିଲେ । ନିୟମ ଥିଲେ ସୁଦ୍ଧା ବାଚସ୍ପତି ଏହାକୁ ରେସପଣ୍ଡ କରିନଥିଲେ । ବିଧାୟକଙ୍କୁ ରାତି ଅଧରେ ଗୃହରୁ କାଢି ରାସ୍ତାରେ ଛାଡିଦେଲେ । ସେପଟେ ପ୍ରତିବାଦ କରୁଥିବା କଂଗ୍ରେସ କର୍ମୀଙ୍କୁ ଉଠାଇନେଲେ । ଏସବୁ ଅଗଣତାନ୍ତ୍ରିକ । ବିଜେଡି ବି ବୟକଟ କରିଛି । ଏବେ ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି ବୋଲି କହି ଉଦବେଦ ପ୍ରକାଶ କରିଛି କଂଗ୍ରେସ । ଆଜି ପ୍ରେସମିଟ କରି ସରକାରଙ୍କୁ ଘେରିଛି କଂଗ୍ରେସ । କହିଛି, ରାଜ୍ୟରେ ନାରୀ ନିର୍ଯାତନା ଶୀର୍ଷରେ। ଗୃହ କମିଟି କରୁନାହାନ୍ତି କି ଆଲୋଚନା କରୁନାହାନ୍ତି । ଏକଛତ୍ରବାଦ ବନ୍ଦ କରି ଗଣତନ୍ତ୍ରକୁ ରକ୍ଷା କରିବାକୁ ଆହ୍ୱାନ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । ସେହିପରି ମହିଳା ନିର୍ଯାତନା ଉପରେ ଗୃହ କମିଟି କରାଯାଇଥିଲେ ସମସ୍ଯାର ସମାଧାନ ହୋଇପାରିଥାନ୍ତା । କିନ୍ତୁ ସରକାର ତାହା କଲେନି । ସରକାରଙ୍କ କାର୍ଯ୍ୟ ଏକଛତ୍ରବାଦକୁ ସୂଚାଉଛି ବୋଲି କହିଛନ୍ତି ବରିଷ୍ଠ ନେତା ଶ୍ରୀକାନ୍ତ ଜେନା । ବିଧାନସଭାକୁ ବିଜେପି କୁରୁ ସଭାରେ ପରିଣତ କରିବାକୁ ଚାହୁଁଛି । କୁରୁ ସଭାରେ ଯାହା ଘଟିଥିଲା ତାର ପୁନରାବୃତ୍ତି କରାଯାଉଛି। ସାମ୍ବିଧାନିକ ବିଧି ବ୍ୟବସ୍ଥା ଓ ଗଣତାନ୍ତ୍ରିକ ବ୍ଯବସ୍ଥାର ଚିରାଚରିତ ପରମ୍ପରାକୁ ଧର୍ଷଣ କରାଯାଉଛି । ନିନ୍ଦା ପାଇଁ ଭାଷା ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ।