କେନ୍ଦୁଝରରେ ଗାଁ ସୀମାକୁ ନେଇ ଗଣ୍ଡଗୋଳ, ଦୁଇ ପଡୋଶୀ ଗାଁ ମଧ୍ୟରେ ସଂଘର୍ଷ

1 min read

କେନ୍ଦୁଝର: କେନ୍ଦୁଝରରେ ଗାଁ ସୀମାକୁ ନେଇ ଗଣ୍ଡଗୋଳ । ଦୁଇ ପଡୋଶୀ ଗାଁ ଭିତରେ ସଂଘର୍ଷରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଏଥିସହ ୨ଟି କାର୍, ୧୦ଟି ବାଇକ୍ ସହ ୨୦ରୁ ଅଧିକ ଦୋକାନ ପୋଡ଼ି ପାଉଁଶ ହୋଇଛି । କେନ୍ଦୁଝର ଜିଲ୍ଲାର ସୀମାନ୍ତ ଗାଁ ଓରାଳି ଓ ଭଦ୍ରକ ଜିଲ୍ଲାର ସୀମାନ୍ତ ଗାଁ ଆପଣ୍ଡା ଗାଁ ମଧ୍ୟରେ ସୀମା ବିବାଦକୁ ନେଇ ପୂର୍ବରୁ ବିବାଦ ଲାଗିଥିଲା । ହେଲେ ଗତକାଲି ସଂଘର୍ଷ ଉଗ୍ର ରୂପ ଧାରଣ କରିଥିଲା । ୫୩ ନମ୍ବର ରାଜ୍ୟ ରାଜପଥର ଓରାଳି ଛକ ନିକଟରେ ଓରାଳି ଗାଁର ସୂଚନା ଫଳକ ଲାଗିଥିବା ବେଳେ, ଏହି ଛକଟି ଭଦ୍ରକ ଜିଲ୍ଲାର ଓ ଆପଣ୍ଡା ଗାଁର ବୋଲି ଦାବି କରି ଆପଣ୍ଡା ଗ୍ରାମବାସୀ ଅନ୍ୟ ଏକ ସୂଚନା ଫଳକ ଲଗାଇବାକୁ ଚେଷ୍ଟା କରିଥିଲେ । ଯାହାକୁ ନେଇ ସଂଘର୍ଷ ଆରମ୍ଭ ହୋଇଥିଲା ।

ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳରେ ଓରାଳି ସରପଞ୍ଚଙ୍କ କାର୍ ସହ ତାଙ୍କ ଘର ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଆପଣ୍ଡା ଗାଁର ଅଧିକାଂଶ ଦୋକାନୀଙ୍କ ଦୋକାନ ଜାଳି ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଘଟଣାକୁ ନେଇ ଆଜି କେନ୍ଦୁଝର ଜିଲ୍ଲାର ଓରାଳି- ଶାଳଣିଆ ରାସ୍ତାକୁ ଆପଣ୍ଡା ଗ୍ରାମବାସୀ ବନ୍ଦ କରି ରଖିଛନ୍ତି । ଭଦ୍ରକ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି ।