ଡୋନବାସ ଅକ୍ତିଆର ପାଇଁ ଆରମ୍ଭ ହେଲା ଯୁଦ୍ଧ

କିଭ୍: ରୁଷ ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନି । ଦିନକୁ ଦିନ ଆହୁରୀ ଜଟିଳ ହେବାରେ ଲାଗିଛି ଏହି ସ୍ଥିତି । ବିଭିନ୍ନ ପ୍ରକାର ରଣନୀତି ନେଇ ଯୁଦ୍ଧ ଜିତିବାକୁ ଚେଷ୍ଟା ଚଳାଇଛି ରୁଷ । ଏବେ ପୂର୍ବ ୟୁକ୍ରେନରେ ବଡ଼ ଧରଣର ହମଲା ଆରମ୍ଭ କରିଦେଇଛି ରୁଷ । ଡୋନବାସ ଅକ୍ତିଆର କରିବା ପାଇଁ ଆରମ୍ଭ ହୋଇଗଲାଣି ଯୁଦ୍ଧ ।
ରାଜଧାନୀ କିଭ୍ ହାତେଇବାରେ ବିଫଳ ହୋଇଥିବା ରୁଷ ଏବେ ନୂଆ ରଣନୀତିରେ ଯୁଦ୍ଧ ଆରମ୍ଭ କରିଦେଇଛି । ପ୍ରଥମ ପର୍ଯ୍ୟାୟ ଆକ୍ରମଣରେ ବିଫଳ ହୋଇଥିବା ରୁଷ ଏବେ ପୁଣି ସେନା ଠୁଳ କରି ଘମାଘୋଟ ଯୁଦ୍ଧ ଆରମ୍ଭ କରିଦେଇଛି ।
ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର୍ ଜେନେଲକ୍ସି ଗତ ସୋମବାର ରାତିରେ ରୁଷ ଯୁଦ୍ଧ ଆରମ୍ଭ କରିଦେଇଥିବା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, “ଆମେ ସ୍ପଷ୍ଟ କରୁଛୁ ଯେ ଡୋନବାସକୁ ଦଖଲ କରିବାପାଇଁ ଏବେ ଯୁଦ୍ଧ ଆରମ୍ଭ କରିଦେଇଛି । ଦୀର୍ଘ ଦିନ ଧରି ସେମାନେ ଏହାକୁ ଦଖଲ କରିବେ ବୋଲି ଯୋଜନା କରୁଥିଲେ । ଏହା ଆମ ଉପରେ ପ୍ରଭାବ ପକାଇବ ନାହିଁ । ରୁଷ ଯେତେ ବି ସେନା ନେଇ ଆସୁ ଆମେ ପଛଘୁଞ୍ଚା ଦେବୁନି, ଶେଷ ଯାଏ ଲଢ଼ିବୁ” ।
ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଡୋନବାସ ଜନତାଙ୍କୁ ସୁରକ୍ଷିତ ଭାବେ ପଶ୍ଚିମ ପଟକୁ ନିଆଯାଇଛି । ରୁଷ ପକ୍ଷରୁ ଏବେ ଦ୍ବିତୀୟ ପର୍ଯ୍ୟୟ ଯୁଦ୍ଧ ଆରମ୍ଭ ହୋଇଯାଇଛି ବୋଲି ଯୁକ୍ରେନ ରାଷ୍ଟ୍ରପତିଙ୍କ ମୁଖ୍ୟ ପରାମର୍ଶଦାତା କରିଛନ୍ତି ।