ତେଜୁଛି ବିବାଦ: କାଲିଠୁ କଳାବ୍ୟାଜ ପିନ୍ଧି ପ୍ରତିବାଦ କରିବେ ନର୍ସିଂ ଅଫିସର

1 min read

କଟକ: ଏସସିବି ନର୍ସିଂ ଅଫିସର ଓ ହାଉସ ସର୍ଜନଙ୍କ ମଧ୍ଯରେ ବିବାଦ ଅଧିକ ଘନୀଭୂତ ହେବାରେ ଲାଗିଛି । ଆସନ୍ତାକାଲି ଠାରୁ ସାରା ରାଜ୍ୟର ନର୍ସିଂ ଅଫିସରମାନେ କଳାବ୍ୟାଜ ପିନ୍ଧି ପ୍ରତିବାଦ କରିବେ । ପରେ ତିନି ଦିନ ଟୋକନ ଷ୍ଟ୍ରଇକ କରିବେ । ଏହା ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଆସନ୍ତା ୨୪ରୁ କାର୍ଯ୍ୟବନ୍ଦ କରିବେ ବୋଲି ଏସସିବି ନର୍ସିଂ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଓଡିଶା ନର୍ସିଂ କର୍ମଚାରୀ ସଂଘ, ଏସସିବି ଶାଖା ସମ୍ପାଦିକା ସରୋଜିନୀ ଜେନା ଏନେଇ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ହାଉସ ସର୍ଜନଙ୍କୁ ସମର୍ଥନ କରିଛି ଡାକ୍ତର ସଂଘ । ଆଜି ପୂର୍ବ ଘୋଷଣା ଅନୁଯାୟୀ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହାଉସ ସର୍ଜନ। ବହୁ ସଂଖ୍ୟକ ହାଉସ ସର୍ଜନ ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ନିକଟରେ ଉପସ୍ଥିତ ରହି ନିଜର ଦାବି ଉପସ୍ଥାପନ କରିଛନ୍ତି । ତେବେ ଆନ୍ଦୋଳନ ବେଳେ ଜରୁରୀକାଳିନ ସେବା, ଲେବର ରୁମ, କାଜୁଆଲଟି ଓ NTC ଡ୍ୟୁଟିରେ ହାଉସ ସର୍ଜନମାନେ ନିୟୋଜିତ ରହିଛନ୍ତି ।

ଅପରପକ୍ଷରେ ଆଉଟ ଡୋର, ୱାର୍ଡ, ICU, OTରେ କାର୍ଯ୍ୟରେ ହାଉସ ସର୍ଜନ ସହଯୋଗ କରୁନାହାନ୍ତି । ସୁପରିଣ୍ଟେଣ୍ଡେଣ୍ଟ ସମସ୍ୟାର ସମାଧାନ ନେଇ ଏକ କମିଟି ଗଠନ କରିଛନ୍ତି । ତେବେ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି  ଦୃଢତାର ସହ କହିଛନ୍ତି ହାଉସ ସର୍ଜନ । ଆନ୍ଦୋଳନରେ ୨୫୦ ହାଉସ ସର୍ଜନ ସାମିଲ ହୋଇଛନ୍ତି ।