ତୁଟିଲା ଝଗଡ଼ା, ଶାନ୍ତ ପଡ଼ିଲେ ସୋଏବ ଅଖତାର

1 min read

ଇସଲାମାବାଦ: ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ଏବଂ ପିଟିଭି ଆଙ୍କର ଡ. ନଉମନ ନିଆଜଙ୍କ ମଧ୍ୟରେ ତୁଟିଲା ବିବାଦ । ନିଆଜ କ୍ଷମା ପ୍ରାର୍ଥନାକୁ ସ୍ବୀକାର କଲେ ସୋଏବ । ଟି୨୦ ବିଶ୍ବକପ୍ ଚାଲିଥିବା ବେଳେ PTVରେ ଲାଇଭ୍ ଶୋ’ରେ ଉଭୟଙ୍କ ମଧ୍ୟରେ ବଚସା ହୋଇଯାଇଥିଲା । ଯାହାକୁ ନେଇ ସୋଏବ ଲାଇଭ୍ ଶୋ’ରେ ହିଁ ପିଟିଭିରୁ ଇସ୍ତଫା ଦେଇଥିଲେ ।

ସୋଏବ ଏବଂ ନିଆଜଙ୍କ ମଧ୍ୟରେ ସେବେଠାରୁ ଲାଗି ରହିଥିବା ବିବାଦର ସମାଧାନ ପାଇଁ ପାକିସ୍ତାନ ସରକାରର ମନ୍ତ୍ରୀ ଫଓ୍ବାଦ ଚୌଧୁରୀ ମଧ୍ୟସ୍ଥି ସାଜିଥିଲେ । ସେ ତାଙ୍କ ଟ୍ବିଟର ଆକାଉଣ୍ଟରେ ୩ ଜଣଙ୍କ ଫଟୋ ସେୟାର କରି ‘ଶେଷରେ ସବୁ ଠିକ ହୋଇଗଲା’ ବୋଲି ଲେଖିଛନ୍ତି ।

ସେପଟେ ସୋଏବ ମଧ୍ୟ ଟ୍ବିଟ୍ କରି ବିବାଦର ସମାଧାନ ହୋଇଥିବା ନେଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ‘ଡ. ନଉମନ ନିଆଜଙ୍କ କ୍ଷମା ପ୍ରାର୍ଥନାକୁ ସ୍ବୀକାର କରୁଛି । ଏବେ ଏସବୁ କଥାକୁ ଭୁଲି ଆଗକୁ ବଢ଼ିବା ।’

ସୂଚନାଯୋଗ୍ୟ, ଟି୨୦ ବିଶ୍ବକପ ସମୟରେ ପିଟିଭିର ଲାଇଭ୍ ଶୋ’ରେ ସୋଏବ ଏବଂ ନିଆଜଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ନିଆଜ ସୋଏବଙ୍କୁ କହିଥିଲେ, ‘ତୁମେ ଠିକରେ କଥାବାର୍ତ୍ତା କରୁନ । ତୁମେ ନିଜକୁ ଓଭର ସ୍ମାର୍ଟ ଭାବୁଛ । ଶୋ’ ଛାଡ଼ି ଯାଇପାର ।’ ଯାହାକୁ ନେଇ ସୋଏବ ଅପମାନବୋଧ କରିବା ସହ ସେହି ଶୋ’ରେ ହିଁ ପିଟିଭିରୁ ଇସ୍ତଫା ଦେଇ ଦେଇଥିଲେ ।  ଏହାପରେ ପିଟିଭି ସୋଏବଙ୍କ ପାଖକୁ ଆଇନଗତ ନୋଟିସ୍ ପଠାଇ ଲାଇଭ ଶୋ’ରେ ଏମିତି ଇସ୍ତଫା ଦେବା ଉପରେ ଆପତ୍ତି ଉଠାଇଥିଲା ।

ଜିଓ ନ୍ୟୁଜ୍ ରିପୋର୍ଟ ଅନୁସାରେ, ନିଆଜ ଭୁଲ ସ୍ବୀକାର କରିବା ସହ ସୋଏବଙ୍କୁ କ୍ଷମା ମାଗିଥିଲେ । କିଛି ବରିଷ୍ଠ ସାମ୍ବାଦିକ ସୋଏବ ଏବଂ ମନ୍ତ୍ରୀ ଚୌଧୁରୀଙ୍କ ମଧ୍ୟରେ ବୈଠକ କରାଇଥିଲେ । ଏହାପରେ ଚୌଧୁରୀ ନିଜ ବାସଭବନରେ ନିଆଜଙ୍କୁ ଡକାଇ ଆଲୋଚନା କରିବା ସହ ଘଟଣାରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ।

Leave a Reply