ଉଠିଲା ଓଡ଼ିଶାର ପ୍ରାପ୍ୟ ଚିନ୍ତା: ଗଠନ ହୋଇନି ରାଜ୍ୟ ଅର୍ଥ କମିଶନ, ହକ୍ ପାଇବ ତ ଓଡ଼ିଶା ?

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ସ୍ବାର୍ଥକୁ ଦିଆଯାଉ ଅଧିକ ଫୋକସ । ଓଡ଼ିଶା କିପରି କେନ୍ଦ୍ରରୁ ତା’ର ପ୍ରାପ୍ୟ ପାଇବ, ସେନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦିଅନ୍ତୁ । ଜିଏସଟି ପରିଷଦ ବୈଠକରେ କେନ୍ଦୁପତ୍ରରୁ ଜିଏସଟି ଛାଡ଼ ଓ ପେଟ୍ରୋଲ, ଡିଜେଲକୁ ଜିଏସଟି ପରିସର ଭୁକ୍ତ କରିବାକୁ ବିଜେଡି ଦାବି କରିଛି । ଏହାସହ ତୁରନ୍ତ ଜିଲ୍ଲା ଯୋଜନା କମିଟି ଗଠନ କରିବା ସହ ରାଜ୍ୟ ଅର୍ଥ କମିଶନ ଗଠନ କରିବାକୁ ମଧ୍ୟ ଦାବି ଜୋର ଧରିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ କେବଳ ବୈଠକରେ ଯୋଗଦେବେ ଓ କୌଣସି ଦାବି ପୂରଣ କରିପାରିବେ ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି ।

ସୂଚନାଯୋଗ୍ୟ, ଏଯାଏଁ ଗଠନ ହୋଇପାରୁନି ରାଜ୍ୟ ଅର୍ଥ କମିଶନ । ଜିଲ୍ଲା ଯୋଜନା କମିଟି ନାହିଁ । ଖାଲି ପଡ଼ିଛି ଯୋଜନା ବୋର୍ଡ ଅଧ୍ୟକ୍ଷ ପଦବୀ । ଏହାରି ଭିତରେ କେନ୍ଦ୍ରର ପ୍ରାକ୍ ବଜେଟ ବୈଠକ ଓ ଜିଏସଟି ପରିଷଦ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଫଳରେ ଓଡ଼ିଶା ତା’ର ପ୍ରାପ୍ୟ ପାଇବ କି ନାହିଁ ସୃଷ୍ଟି ହୋଇଛି ସନ୍ଦେହ । ବିଜେଡି ଦାବି କରିଛି, ଜିଏସଟି କାଉନସିଲ ବୈଠକରେ କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବାକୁ ଦୀର୍ଘଦିନରୁ ଦାବି ହେଉଛି । ତେଣୁ ବୈଠକରେ ଡବଲ ଇଞ୍ଜିନ ସରକାର ଓଡ଼ିଶାର ଏହି ହକକୁ ପୂରଣ କରନ୍ତୁ । ଏହାଦ୍ବାରା ହଜାର ହଜାର କେନ୍ଦୁପତ୍ର ତୋଳାଳି ଉପକୃତ ହେବେ । ସେହିପରି ଦରଦାମ ନିୟନ୍ତ୍ରଣ ବାହାରେ ଥିବାରୁ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସର ଭୁକ୍ତ କରିବାକୁ ରାଜ୍ୟ ପ୍ରସ୍ତାବ ଦେଉ । ଏହା ହେଲେ ତେଲ ଦର କମିବା ସାଙ୍ଗକୁ ଦରଦାମ ନିୟନ୍ତ୍ରଣକୁ ଆସିବ ବୋଲି କହିଛି ବିଜେଡି । ଜାନୁଆରୀରେ ୧୬ ତମ ଅର୍ଥ କମିଶନ ବୈଠକ ବସିବାକୁ ଯାଉଥିବା ବେଳେ, ରାଜ୍ୟ କାହିଁକି ଏଯାଏଁ ରାଜ୍ୟ ଅର୍ଥ କମିଶନ ଗଠନ କରିନାହିଁ ବୋଲି ବିଜେପି ସରକାରକୁ ପ୍ରଶ୍ନ କରିଛି ବିଜେଡି ।

ସେପଟେ ଜିଏସଟି ବୈଠକ ଓ ପ୍ରାକ୍ ବଜେଟ ବୈଠକରେ ମୁ୍ଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେବା ପ୍ରସଙ୍ଗକୁ ନେଇ ତେରେଛା ବାଣ ମାରିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ମୁଖ୍ୟମନ୍ତ୍ରୀ କେବଳ ବୈଠକରେ ଯୋଗ ଦେବା ଓ ଭାଷଣ ଦେବାରେ ସୀମିତ ଅଛନ୍ତି । ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ସ୍ବାର୍ଥକୁ ଗୁରୁତ୍ବ ଦିଆଯିବ କ’ଣ, ରାଜ୍ୟର କ୍ଷତି ହେବାକୁ ଲାଗିଛି । ଓ୍ବାଲଟିୟର ପ୍ରସଙ୍ଗ ନେଇ ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସ୍ବାର୍ଥକୁ ଗୁରୁତ୍ବ ଦେଇ ଆସୁଛନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ ।

ଓଡ଼ିଶାକୁ ତା’ର ପ୍ରାପ୍ୟ ମିଳିବା ବଦଳରେ ବିଭିନ୍ନ ପ୍ରସଙ୍ଗରେ କରାଯାଉଛି ଅଣଦେଖା । ନିର୍ବାଚନ ବେଳେ ଅନେକ ଗ୍ୟାରେଣ୍ଟି ଦେଇଥିଲା ଡବଲ ଇଞ୍ଜିନ ସରକାର । ହେଲେ ତାହା ମିଛରେ ପରିଣତ ହୋଇଛି ବୋଲି କହିଛନ୍ତି ବିଜେଡି ଓ କଂଗ୍ରେସ । ପୋଲାଭରମ, ମହାନଦୀ, ଓ୍ବାଲଟିୟର ଡିଭିଜନ ଉଦାହରଣ ଦେଇ ଡବଲ ଇଞ୍ଜିନ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ ।