୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

1 min read

ଭୁବନେଶ୍ୱର: ଦୁର୍ନୀତି ଓ ଅପରାଗତା ହଟାଇବା ସଂକଳ୍ପରେ ଥିବା ରାଜ୍ୟ ସରକାର ଆଜି ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ସେମାନଙ୍କ ମଧ୍ୟରେ ୪ ଇଞ୍ଜିନିୟର ଓ ୨ ଜଣ ଅବକାରୀ ବିଭାଗର ଅଧିକାରୀ ସାମିଲ ଅଛନ୍ତି । ଏହି ଅସାଧୁ ଅଧିକାରୀମାନଙ୍କ ବିରୋଧରେ ପୂର୍ବରୁ ଭିଜିଲାନ୍ସ ମାମଲା ଦାଏର କରାଯାଇଥିଲା ଏବଂ ଏଥିରେ ସେମାନେ ଦୋଷୀ ପ୍ରମାଣିତ ହୋଇଛନ୍ତି ।

ଏହି ଅଧିକାରୀମାନଙ୍କ ଭିତରେ ସାମିଲ ଅଛନ୍ତି, ରୁରାଲ ୱାର୍କ୍ସ ଡିଭିଜନର ଉପ-କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜିତ୍ କୁମାର ଦେବତା । ତାଙ୍କ ବିରୋଧରେ ୨ଟି ଭିଜିଲାନ୍ସ  ମାମଲା ରହିଛି ଏବଂ ସେ ୧ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଛି । ସେହିପରି ପୂର୍ତ୍ତ ବିଭାଗର ରାସ୍ତା ଓ କୋଠାବାଡ଼ି ଡିଭିଜନର ଗୁଣାତ୍ମକ ନିୟନ୍ତ୍ରଣ ବିଭାଗର ସହକାରୀ ଇଞ୍ଜିନିୟର ଜିତେନ୍ଦ୍ର କୁମାର ଦଲାଲ, ଗଣେଶ୍ୱର ସେଠୀ ଏବଂ ମୟୂରଭଞ୍ଜ କରଞ୍ଜିଆରେ କାର୍ଯ୍ୟ କରୁଥିବା ରୁରାଲ ୱାର୍କ୍ସ ବିଭାଗର ସହକାରୀ ଇଞ୍ଜିନିୟର ବିଜୟ ପରିଡ଼ାଙ୍କୁ ମଧ୍ୟ ବାଧ୍ୟତା ମୂଳକ ଅବସର ଦିଆଯାଇଛି । ଜିତେନ୍ଦ୍ରଙ୍କ ବିରୋଧରେ ଭିଜିଲାନ୍ସ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ ନେଇ ୨ଟି ମାମଲା ରୁଜୁ କରିଛି । ସେହିପରି ଗଣେଶ୍ୱରଙ୍କ ବିରୋଧରେ ଅଶୋଭନୀୟ ଆଚରଣ ଏବଂ କର୍ତ୍ତବ୍ୟରେ ଅବହେଳା ଭଳି ଗୁରୁତର ଅଭିଯୋଗକୁ ଭିତ୍ତି କରି ପୂର୍ବରୁ ୬ଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା । ସହକାରୀ ଇଞ୍ଜିନିୟର ବିଜୟ ମରାମତି କାର୍ଯ୍ୟ କରିବା ସମୟରେ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ରହିଛି । ତାଙ୍କ ବିରୋଧରେ ୩ଟି ଭିଜିଲାନ୍ସ ମାମାଲା ରହିଛି ।

ବାଧ୍ୟତାମୂଳକ ଅବସର ଦିଆଯାଇଥିବା ୨ ଅବକାରୀ ବିଭାଗ ଅଧିକରୀଙ୍କ ଭିତରେ ରହିଛନ୍ତି ସମ୍ବଲପୁରରେ ଥିବା ଓଡ଼ିଶା ପାନୀୟ ନିଗମ ଡିପୋର ଶାଖା ପରିଚାଳକ ତଥା ଉପ ଅବକାରୀ ନୀରିକ୍ଷକ ଜୟଦୀପ ପଟ୍ଟନାୟକ, ଏବଂ ସୁନ୍ଦଗଡ଼ରେ କାର୍ଯ୍ୟରତ ଅବକାରୀ ନୀରିକ୍ଷକ ରିହାଜ ଅହମଦ ବେଗ । ଜୟଦୀପ କାର୍ଯ୍ୟକଳାପ, ସରକାରୀ ଶାଳୀନତା ଓ ସୌଜନ୍ୟର ବିରୁଧାଚରଣ କରୁଥିଲେ । ତାଙ୍କ ବିରୋଧରେ ସରକାରୀ ସମ୍ପତ୍ତିର କୁପରିଚାଳନା ଏବଂ ଅଫିସ କାର୍ଯ୍ୟ ସମୟରେ ମଦ୍ୟପାନ ଆଦି ଅଭିଯୋଗ ରହିଛି । ଅହମଦ ବେଗ ତାଙ୍କ ଚାକିରି କାଳ ସମୟରେ ତାଙ୍କ ଅପାରଗତା, ଦାୟିତ୍ୱହୀନତା ଓ କର୍ତ୍ତବ୍ୟନିଷ୍ଠାରେ ଖିଲାପ କାରଣରୁ ୫ ଥର ନିଲମ୍ବିତ ହୋଇଥିଲେ । ତାଙ୍କ ବିରୋଧରେ ଏଥିପାଇଁ ବିଭାଗୀୟ କାର୍ଯ୍ୟନୁଷ୍ଠାନ ହୋଇଛି ।

ପ୍ରଶାସନରେ ଅସାଧୁ କର୍ମଚାରୀଙ୍କୁ ଶୂନ୍ୟ ସହିଷ୍ଣୁତା ପଦର୍ଶନ ଆଦର୍ଶରେ ଅଭିପ୍ରେତ ଓଡ଼ିଶା ସରକାର ପୂର୍ବରୁ ଏହିପରି କାର୍ଯ୍ୟରତ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର ତଥା ବାଧ୍ୟତାମୂଳକ ଅବସର ଦେଇଥିବାର ନଜିର ରହିଛି । ଏବେ ଏହି ୬ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ଆଦେଶ ସମଗୁଣର ସରକାରୀ କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି ହେବ ।

Leave a Reply