ବଡ଼ ଠାକୁର ମୁହଁମାଡ଼ି ପଡ଼ିବା ଘଟଣା, ଶ୍ରୀମନ୍ଦିର ପ୍ରଶାସକଙ୍କ ବିରୋଧରେ ଥାନାରେ ଏତଲା

ଭୁବନେଶ୍ବର:  ଆଡପ ମଣ୍ଡପ ବିଜେ ସମୟରେ ମହାପ୍ରଭୁ ବଳଭଦ୍ର ମୁହଁ ମାଡି ପଡିଯିବା ଘଟଣା । ଶ୍ରୀମନ୍ଦିର ପ୍ରଶାସକ ଭି.ଭି. ଯାଦବଙ୍କ ନାଁରେ କ୍ୟାପିଟାଲ ଥାନାରେ ରୁଜୁ ହେଲା ଏତଲା । ଭୁବନେଶ୍ୱର ବାର ଆସୋସିଏସନର ଆଇନଜୀବୀ ଦେଇଛନ୍ତି ଏହି ଏତଲା । ଅଘଟଣ ନେଇ ତୁରନ୍ତ ମାମଲା ରୁଜୁ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଏତଲାରେ ଦାବି ହୋଇଛି ।

ଏତଲାରେ ଦର୍ଶା ଯାଇଛି ପହଣ୍ଡି ବିଜେ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ ରହିବା କଥା । କିନ୍ତୁ ସେ ଦାୟିତ୍ୱରେ ଅବହେଳା କରିଛନ୍ତି । ପହଣ୍ଡି ସମୟରେ ଅନେକ ଅନଧିକୃତ ସେବାୟତ ରହିଥିଲେ । ସମନ୍ୱୟ ଅଭାବରୁ ଅଭାବନୀୟ ଘଟଣା ଘଟିଲା । ମହାପ୍ରଭୁ ବଳଭଦ୍ର ଚାରମାଳ ଉପରେ ମୁହଁ ମାଡି ପଡିବା ଇତିହାସରେ ପ୍ରଥମ । ଏଭଳି ଘଟଣା ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ଧର୍ମୀୟ ଭାବନାକୁ କୁଠାରଘାତ କରିଛି । ଏହା ମହାପ୍ରଭୁଙ୍କ ଲୀଳା ନୁହେଁ, ଏହା ମନୁଷ୍ୟକୃତ ଦାୟୀତ୍ବହୀନତା । ତେଣୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆଇନଜୀବୀ ଦାବି କରିଛନ୍ତି ।