ଟ୍ୱିଟର ଇଣ୍ଡିଆ ମୁଖ୍ୟ ମନିଶ ମାହେଶ୍ୱରୀଙ୍କ ବିରୋଧରେ ହିନ୍ଦୁ ଧର୍ମର ଅପମାନ ମାମଲା

ନୂଆଦିଲ୍ଲୀ : ଟ୍ୱିଟର ଇଣ୍ଡିଆର ଏମଡି ମନୀଶ ମାହେଶ୍ୱରୀ ପୁଣି ଏକ ନୁଆ ବିବାଦରେ ଫସିଛନ୍ତି । ଦିଲ୍ଲୀର ଜଣେ ଓକିଲ ତାଙ୍କ ବିରୋଧରେ ହିନ୍ଦୁ ଦେବାଦେବୀଙ୍କ ଅପମାନ ମାମଲା ଆଣିଛନ୍ତି । ଦିଲ୍ଲୀ ପୋଲିସର ସାଇବର ସେଲରେ ସେ ଏନେଇ ଅଭିଯୋଗ କରିଛନ୍ତି । । ମାହେଶ୍ୱରୀଙ୍କ ସହିତ ଏନେଇ ଏକ ଅଣ ଲାଭକାରୀ ସଂସ୍ଥା ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ, ନୂଆ ଆଇଟି ନିୟମକୁ ନେଇ ଟ୍ୱିଟର ଓ ଭାରତ ସରକାରଙ୍କ ମଧ୍ୟରେ ବିବାଦ ଜାରି ରହିଛି । ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ନୂଆ ଆଇନକୁ ଟ୍ୱିଟର ମାନିବାକୁ ରାଜି ନାହିଁ । ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଟଣା ଓଟରା ଚାଲିଛି । ଏହାରି ଭିତରେ ମାହେଶ୍ୱରୀଙ୍କ ବିରୋଧରେ ନୂଆ ମାମଲା ରୁଜ୍ଜ ହୋଇଛି ।

ସୂଚନା ଅନୁସାରେ ଆଦିତ୍ୟ ସିଂହ ନାମକ ଓକିଲ ସାଇବର ସେଲରେ ଅଭିଯୋଗ କରିଛନ୍ତି । ଏଥିରେ ସେ ମାହେଶ୍ୱରୀଙ୍କ ସହିତ ରିପବ୍ଲିକ୍ ଏଥିଷ୍ଟ ନାମକ ଏକ ଅଣ ଲାଭକାରୀ ସଂସ୍ଥା ବିରୋଧରେ ଏଫଆଇଆର ଦାୟର କରାଯାଉ ବୋଲି କହିଛନ୍ତି । ଟ୍ୱିଟରରେ ରିପବ୍ଲିକ୍ ଏଥିଷ୍ଟ୍ ମା’ କାଳିଙ୍କ ବିରୋଧରେ ଆପତିଜନକ ପୋଷ୍ଟ କରିଛି ବୋଲି ଆଦିତ୍ୟ ଅଭିଯୋଗ କରିଛନ୍ତି।

ରିପବ୍ଲିକ୍ ଏଥିଷ୍ଟ ଦ୍ୱାରା ପୋଷ୍ଟ କରାଯାଇଥିବା ମା’ କାଳୀଙ୍କ ଫଟୋ ଦ୍ୱାରା ସାମାଜିକ ବିଦ୍ୱେଶଭାବ ସୃଷ୍ଟି ହେବ ବୋଲି ଆଦିତ୍ୟ ଅଭିଯୋଗ କରିଛନ୍ତି । କୁହାଯାଉଛି ଯେ, ଏହି ପୋଷ୍ଟକୁ ନେଇ ଟ୍ୱିଟର ବିରୋଧରେ ଏଫଆଇଆର ଦାୟର ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ଏହାପୂର୍ବରୁ ଗାଜିଆବାଦର ଏକ ଭିଡିଓକୁ ନେଇ ଟ୍ୱିଟର ଇଣ୍ଡିଆ ଓ ଏହାର ଏମଡି ମାହେଶ୍ୱରୀଙ୍କ ବିରୋଧରେ ମାମଲା ରୁଜ୍ଜ ହୋଇଛି । ଏହି ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଦ୍ୱାରା ମାହେଶ୍ୱରୀଙ୍କୁ ଅନ୍ତରୀଣ ଜାମିନ ମିଳିବା ପରେ ମାମଲା ଏବେ ସୁପ୍ରିମକୋର୍ଟରେ ପହଂଚିଛି ।

Leave a Reply