ଉତ୍କଳ ୟୁନିଭରସିଟିରେ ରାଜନୈତିକ ଚାପରେ ନାମଲେଖା ଅଭିଯୋଗ : ବାଦ୍ ପଡୁଛନ୍ତି ମେଧାବୀ
ଭୁବନେଶ୍ବର : ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଛାତ୍ର କଂଗ୍ରେସର ଘନଘନ ଅଣ୍ଡାମାଡ଼। ଭାଙ୍ଗିଲେ ବ୍ୟାରିକେଡ୍ । ପୋଲିସ ସହ ମୁହାଁମୁହିଁ । କର୍ଡନ ଉପରେ ନାରାବାଜି । ଉତ୍କଳ ବିଶ୍ବବିଦ୍ୟାଳୟର ପିଜି ନାମଲେଖାରେ ଅନିୟମିତତା ଅଭିଯୋଗ କରି ଗର୍ଜନ କରିଛି ଛାତ୍ର କଂଗ୍ରେସ । କଂଗ୍ରେସ ଭବନରୁ ଛାତ୍ର କଂଗ୍ରେସର କର୍ମୀମାନେ ରାଲିରେ ଆସି ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ସହିତ ହୋଇଥିଲା ଧସ୍ତାଧସ୍ତି। କିଛି ସମୟ ପାଇଁ ଲୋୟର ପିଏମ୍ଜିରେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ଭିତରେ ଚାଲିଥିଲା ଛକାପଞ୍ଝା ।
ବାଲେଶ୍ବରର ଛାତ୍ର ବିଜୟ କୁମାର ସାହୁ ଉତ୍କଳ ୟୁନିଭରସିଟିରେ ପିଜି ଆଡମିସନ୍ ପାଇଁ ସାମସ୍ ଓ୍ବେବସାଇଟରେ ଆବେଦନ କରିଥିଲେ। ଓ୍ବେଟିଂ ଲିଷ୍ଟରେ ତାଙ୍କର ନାଁ ରହିଥିଲା। ଆଡମିସନ୍ ପାଇଁ ପିଜି କାଉନସିଲରୁ ତାଙ୍କୁ ଯାଇଥିଲା କଲ୍ । ସେ ସମସ୍ତ ଡକୁମେଣ୍ଟ ଦାଖଲ କରିଥିଲେ। କିନ୍ତୁ ପରେ ଡକୁମେଣ୍ଟ ଫେରେଇ ଦିଆଯାଇଥିଲା। ଓ୍ବେଟିଂ ଲିଷ୍ଟରେ ତାଙ୍କ ନାଁ ୯ ନମ୍ଵରରେ ରହିଥିବା ବେଳେ ବିଜୟଙ୍କୁ ଆଡମିଶନ ଦିଆନଯାଇ ୧୧ ନମ୍ବର ରେ ଥିବା ଜଣେ ପିଲାକୁ ଆଡମିସନ୍ ମିଳିଛି ।
ପ୍ରତିବାଦରେ ବିଜୟ ଗତ ମାସ ୫ ତାରିଖରେ ପିଜି କାଉନସିଲ୍ ଆଗରେ ଧାରଣା ଦେଇଥିଲେ। ସେ ଅଭିଯୋଗ କରିଛନ୍ତି, ବିଜୟଙ୍କ ବଦଳରେ ଯେଉଁ ପିଲାକୁ ଆଡମିସନ୍ ମିଳିଛି, ସେ ମନ୍ତ୍ରୀଙ୍କ ଖାସ୍ ହୋଇଥିବାରୁ ଚାପରେ ତାଙ୍କର ନାଁ ଲେଖା ଯାଇଛି। ଏ ସଂପର୍କରେ ଉଚ୍ଚଶିକ୍ଷା ସଚିବ ଏବଂ ରାଜ୍ୟପାଳଙ୍କୁ ମଧ୍ୟ ଫେରାଦ ହୋଇଥିଲା ଛାତ୍ର କଂଗ୍ରେସ। କିନ୍ତୁ କିଛି ସୁଫଳ ମିଳିନି। ଏ ନେଇ ମନ୍ତ୍ରୀଙ୍କୁ ଜବାବ ମାଗିଛି ଛାତ୍ର କଂଗ୍ରେସ। ପ୍ରଶ୍ନ ଉଠୁଛି ସାମସ୍ ଓ୍ବେବସାଇଟ୍ରେ ପଛରେ ଥିବା ଛାତ୍ରଙ୍କୁ କିଭଳି ମିଳିଲା ଆଡମିସନ୍ ? ସତରେ ରାଜନୈତିକ ଚାପରେ ଏପରି ହୋଇଛି କି। ମେଧାବୀ ଛାତ୍ରଙ୍କ କ୍ୟାରିୟରକୁ ନେଇ ଖେଳ କାହିଁକି ଖେଳୁଛନ୍ତି କର୍ତ୍ତୃପକ୍ଷ ? ଏ ନେଇ କିନ୍ତୁ ଉତ୍କଳ ୟୁନିଭରସିଟିର କୁଳପତି ମୁହଁ ନ ଖୋଲି ନାହାନ୍ତି।