ବାହାନଗା ରେଳ ଦୁର୍ଘଟଣା: ୩୯ ମୃତକଙ୍କ ପରିବାର ପାଇଲେ ୧.୯୫ କୋଟି
ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାନଗା ଟ୍ରେନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡିଶାର ୩୯ ଜଣ ମୃତକଙ୍କ ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଉଛି । ୭ଟି ଜିଲ୍ଲାର ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ସହାୟତା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ଭଦ୍ରକର ୮ଜଣ, ଯାଜପୁରର ୨ଜଣ, ବାଲେଶ୍ୱରର ୧୪ଜଣ, ମୟୁରଭଞ୍ଜର ୯ଜଣ, ଖୋର୍ଦ୍ଧାର ୨ଜଣ, କଟକର ୩ଜଣ ଓ କେନ୍ଦୁଝରର ଜଣେ ବ୍ୟକ୍ତି ଅଛନ୍ତି। ମୃତକମାନଙ୍କର ନିକଟତମ ଆତ୍ମୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ପୂର୍ବରୁ ଓଡିଶାର ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ।