ପାରାଦୀପ ହାଣ୍ଡିଆ ଗାଁରେ AMNS କମ୍ପାନୀର ରାଜ : ବିସ୍ଥାପିତଙ୍କ ଜୀବନ ଜୀବିକା ସହିତ ଖେଳୁଛି କମ୍ପାନୀ
ପାରାଦୀପ : ଏଏମଏନଏସ କମ୍ପାନୀ ପାଇଁ ବିସ୍ଥାପିତ ହେବାକୁ ମନାକଲେ ହାଣ୍ଡିଆ ଗ୍ରାମବାସୀ । ଗ୍ରାମବାସୀ , ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ଆଲୋଚନା ମଧ୍ୟ ବିଫଳ ହୋଇଛି । ଦୀର୍ଘ ନଅ ମାସ ହାଣ୍ଡିଆ ଗ୍ରାମବାସୀ ଧାରଣାରେ ବସିଲା ପରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ହାଣ୍ଡିଆ ଗ୍ରାମବାସୀ ଆସିଥିଲେ । ଆଲୋଚନା ହେଲା, ମାତ୍ର ପ୍ରଶାସନ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିବା ବଦଳରେ କମ୍ପାନୀ ହେଲେ ପାରାଦୀପର ଉନ୍ନତି ହେବ ବୋଲି ପ୍ରସ୍ତାବ ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୀର୍ଘ ବର୍ଷ ହେଲା କମ୍ପାନୀ ପାଇଁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କମ୍ପାନୀ ଯାହା ପ୍ରତିଶୃତି ଦେଇଛି ତାହା ପୂରଣ କରୁନାହିଁ । ୨୦୧୬ ମସିହାରେ ହାଣ୍ଡିଆ ଗାଁ ବିସ୍ଥାପିତ ହେବନାହିଁ ବୋଲି ଚିଠି ପାଇବା ପରେ ଗ୍ରାମବାସୀ ଘର ଦ୍ଵାର କରି ଟଙ୍କା ଖର୍ଚ୍ଚ କରାସାରିଛନ୍ତି । ତେଣୁ ଆଉ ବିସ୍ଥାପିତ ହେବେ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।
୨୦୧୦ ମସିହାରେ ହାଣ୍ଡିଆ ଗ୍ରାମବାସୀଙ୍କୁ ଚକ୍ରଧରପୁରକୁ ବିସ୍ଥାପିତ କରିବାକୁ ଆରପିଡ଼ିଏସ ବୈଠକରେ ନିଷ୍ପତ୍ତି ହୋଇଥିଲା। ମାତ୍ର ୨୦୧୬ ମସିହାରେ ହାଣ୍ଡିଆ ଗ୍ରାମବାସୀ ବିସ୍ଥାପିତ ନ ହେବା ପାଇଁ ସେତବେଳର ଏସାର କମ୍ପାନୀ ପତ୍ର ମାଧ୍ୟମରେ ଗ୍ରାମବାସୀଙ୍କୁ ଜଣାଇଥିଲା | ବିସ୍ଥାପିତ ପରିବାରର ଉଚ୍ଚ ଶିକ୍ଷା ଗ୍ରହଣ କରିଥିବା ପିଲାମାନଙ୍କୁ କଣ୍ଟ୍ରାକ୍ଟର ଅଧିନରେ ରଖି ମାସକୁ ୧୨ ରୁ ୧୩ ହଜାର ଟଙ୍କା ଦେଉଛନ୍ତି । ଯାହା ସମୁଦ୍ରକୁ ସଙ୍ଖେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । କିଛି ପିଲାଙ୍କୁ ଏପର୍ଯ୍ଯନ୍ତ ଚାକିରି ମଧ୍ଯ ଦିଆଯାଇନାହିଁ । ଅନ୍ଯପଟେ କମ୍ପାନୀ ଖୁବଶୀଘ୍ର ୧୦ ହଜାର ପିଲାକୁ ନିଯୁକ୍ତି ଦେବ ଏବଂ ସେଥିରୁ ୯୦% ଜଗତସିଂହପୁର ଜିଲ୍ଲାର ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ତୁଟୁ ନାହିଁ ହାଣ୍ଡିଆ ଗ୍ରାମବାସୀ ଓ ଏଏମଏନଏସ କମ୍ପାନୀ ମଧ୍ୟରେ ଚାଲିଥିବା ବିବାଦ। କମ୍ପାନୀ ଦେଉଥିବା ପ୍ରତିଶୃତି ପାଳନ କରୁନଥିବା ବେଳେ, ଗ୍ରାମବାସୀ ସେମାନଙ୍କ ଦାବିକୁ ନେଇ ଚଳାଇଛନ୍ତି ଆନ୍ଦୋଳନ। ଜିଲ୍ଲା ପ୍ରଶାସନ ଏହାକୁ ସମାଧାନ କରିବାରେ କେତେ ସଫଳ ହେଉଛି ତାହାରି ଉପରେ ସମସ୍ତଙ୍କ ନଜର।