ମୃତ୍ୟୁର ୧୮ ବର୍ଷ ପରେ ବିଧବା ପତ୍ନୀଙ୍କୁ ମିଳିଲା ସହାୟତା
1 min readପୁରୀ: ମୃତ୍ୟର ୧୮ ବର୍ଷ ପରେ ବିଧବା ପତ୍ନୀଙ୍କୁ ମିଳିଲା ସହାୟତା । ମୋଟର ଦୁର୍ଘଟଣା ଜନିତ ମାମଲାର ବିଚାର କରି କୋର୍ଟଙ୍କ ନିର୍ଦ୍ଦେଶରେ ଦୀର୍ଘ ବର୍ଷ ପରେ ଆଜି ମୃତକଙ୍କ ପରିବାରକୁ ଅତିରିକ୍ତ ଜିଲ୍ଲାପାଳ 21 ଲକ୍ଷ 80 ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ୨୦୦୪ ରେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ହାଟସାହିର କଟକ ଅବକାରୀ ବିଭାଗରେ କାର୍ଯ୍ୟରତ ପର୍ଶୁରାମ ମହାନ୍ତି ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟର ଭର୍ତ୍ତି ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ନିଆଯାଉଥିଲା ।
ତେବେ ପୁରୀ-ଭୁବନେଶ୍ବର ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ ହେବାରୁ ଘଟଣାସ୍ଥଳରେ ପର୍ଶୁରାମଙ୍କ ମୃତ୍ୟୁ ଘଟିଥିଲା । ଡ୍ରାଇଭରଙ୍କ ଅସାବଧାନତା ଓ ଆମ୍ବୁଲାନ୍ସର କାଗଜପତ୍ର ଠିକ୍ ନଥିବା ଅଭିଯୋଗ କରି ପରିବାର ଲୋକେ କ୍ଷତିପୂରଣ ପାଇଁ ଦାବି କରିଥିଲେ । ଭୁବନେଶ୍ବର ମୋଟରଯାନ ଟ୍ରିବ୍ୟୁନାଲରେ ଏକ ମାମଲା ରୁଜୁ ହୋଇଥିଲା । ମାମଲାର ଶୁଣାଣି କରି କୋର୍ଟ ୯ ଲକ୍ଷ ୭୭ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
କ୍ଷତିପୂରଣ ନଦେବା ଯାଏଁ ୭ ପ୍ରତିଶତ ସୁଧ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୧୮ ବର୍ଷ ପରେ ପରିବାରକୁ ନ୍ୟାୟ ମିଳିଛି । ମୋଟରଯାନ ଟ୍ରିବ୍ୟୁନାଲ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୭ ପ୍ରତିଶତ ସୁଧ ହାରରେ ଆଜି ଏହି ପରିବାରକୁ 21 ଲକ୍ଷ 80 ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି ।