ବସ୍ତିରେ ବଢୁଛି ଅପରାଧ: କମ୍ୟୁନିଟି ପୋଲିସିଂ ବ୍ୟବସ୍ଥାର ସତ ଚେଷ୍ଟା ପରେ ବି କମୁନି କ୍ରାଇମ୍
1 min read
ଭୁବନେଶ୍ବର: ରକ୍ତ ଚରିତ୍ର ଷ୍ଟାଇଲରେ ରକ୍ତର ହୋଲି । ବସ୍ତିରେ ବେଧଡକ ଅପରାଧ, ବେଫିକର ଅପରାଧୀ । ନିଶା ପାଇଁ ବୁଲୁଛି ହତିଆର, ଚାଲୁଛି ଭୁଜାଲି । ରଙ୍ଗର ପର୍ବ ହୋଲିରେ ସହିଦନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତିରେ ଗୋପୀ ଗୁଣିଙ୍କୁ ଦ୍ୱିପ୍ରହରେ ନିର୍ମମ ହତ୍ୟା । ସେହିଦିନ ମଞ୍ଚେଶ୍ୱର ଥାନା ଠାରୁ କିଛି ଦୂରରେ ସମେଇଗାଡ଼ିଆର ଆୟୁଷ୍ମାନ ପତିଙ୍କୁ ହତ୍ୟା । ଏ ଦୁଇଟି ଘଟଣା ପୂର୍ବରୁ ରାଜରାସ୍ତା ଉପରେ ସହଦେବ ନାୟକଙ୍କୁ ଗଣ୍ଡି ମୁଣ୍ଡ ଅଲଗା କରି ବିଭତ୍ସ ହତ୍ୟା । ବସ୍ତିରେ ରହୁଥିବା ଯୁବକଙ୍କୁ ହତ୍ୟା ପଛରେ ମୂଳ କାରଣ ହେଉଛି ନିଶା । ଠିକ ସେହିପରି ଶନିବାର ଦିନ ସାଇନ୍ସ ପାର୍କ ବସ୍ତିରେ ଦାଦା ପୁତୁରା ଗଣ୍ଡଗୋଳ ଓ ଛୁରାମାଡ଼ ଘଟଣାରେ ମୋଟ ୩ ଜଣ ଆହତ ହୋଇଥିବା ବେଳେ ଦାଦା ଶାନ୍ତିଭୂଷଣ ନାୟକଙ୍କୁ ଗିରଫ କରିଛି ପୋଲିସ । ବସ୍ତିରେ ଅପରାଧ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବସ୍ତିକୁ ଚାଲ, ଖେଳକୁଦ ଭଳି ପ୍ରତିଯୋଗିତା କରି କମ୍ୟୁନିଟି ପୋଲିସିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଥିଲେ ମଧ୍ୟ ନିଶା ପାଇଁ ପାଣି ଫୋଟକା ଭଳି ଚାଲିଯାଉଛି ଜୀବନ ।
ନିଶା ପାଲଟିଛି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ମୂଳ କାରଣ । ରାଜଧାନୀ ସମେତ ସାରା ଓଡିଶାରେ ଚାଲିଛି ବେଧଡକ ନିଶା କାରବାର। ତଥ୍ୟ କହୁଛି ୨୦୨୨ରେ ୧୮୯୨ NDPS ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨ ହଜାର ୬୦୩ ଜଣ ଗିରଫ ହୋଇଛନ୍ତି । ଜବତ ହୋଇଛି ୧୧ ଶହ ୭୩ କେଜି ୭୩ କେଜି ଗଞ୍ଜେଇ । ୫୦ କିଲୋରୁ ଉର୍ଦ୍ଧ୍ବ ବ୍ରାଉନସୁଗାର । ସେହିପରି ୨୦୨୩ରେ ୧୮ ଶହ ୬୮ ଟି NDPS କେସରେ ୨ ହଜାର ୪୧୦ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । ଜବତ ହୋଇଥିଲା ୧୮୧୧ କୁଇଣ୍ଟାଲ ଗଞ୍ଜେଇ । ୧୭ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗାର । ୨୦୨୪ ରେ ୨ ହଜାର ୧୬୦ NDPS ମାମଲାରେ ୨ ହଜାର ୨୭୬ ଜଣଙ୍କୁ ଗିରଫ କରାଯାଇଛି । ଜବତ ହୋଇଛି ୧ ହଜାର ୪୫୨ କୁଇଣ୍ଟାଲ ଗଞ୍ଜେଇ ସହ ୧୦ କେଜିରୁ ଉର୍ଦ୍ଧ୍ବ ଧଳାଜହର । ଏୟାରପୋର୍ଟରୁ ଦାମୀ କୋକେନ୍, ମାରିଜୁଆନା ଜବତ ପରେ ନିଶାର ରାଜଧାନୀ ପାଲଟିଛି ଭୁବନେଶ୍ୱର । ଏସବୁ ପରେ ମଧ୍ୟ ବସ୍ତିକୁ ଅପରାଧ ମୁକ୍ତ କରିବାକୁ ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି ଏସିପି ।