କମନଓ୍ବେଲଥ ଗେମ୍ସ: ବକ୍ସିଂରେ ଭାରତକୁ ଦୁଇ ସ୍ବର୍ଣ୍ଣ, ମହିଳା ହକି ଟିମକୁ ବ୍ରୋଞ୍ଜ

1 min read

ବର୍ମିଂହାମ: ବର୍ମିଂହାମରେ ଭାରତୀୟ ଆଥଲେଟଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ଆଜି ଖେଳର ୧୦ମ ଦିନରେ ଭାରତ ବକ୍ସିଂରେ ଦୁଇଟି ସ୍ବର୍ଣ୍ଣ ଜିତିଛି । ଭାରତୀୟ ବକ୍ସର ନିତୁ ଘନଘାସ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ଜିତିଥିଲେ । ୪୮ କେଜି ବର୍ଗରେ ନିତୁ, ଇଂଲଣ୍ଡର ଡେମି ଜେଡଙ୍କୁ ୫-୦ରେ ହରାଇ ଥିଲେ । ଏହାର କିଛି ସମୟ ପରେ ଅମିତ ପଙ୍ଘଲ ଭାରତକୁ ବକ୍ସିଂରେ ଦ୍ବିତୀୟ ସ୍ବର୍ଣ୍ଣ ଦେଇଛନ୍ତି । ଅମିତ ୪୮-୫୧ ବର୍ଗରେ ଇଂଲଣ୍ଡର କାଇରନ ମାକଡୋନାଲ୍ଡଙ୍କୁ ୫-୦ରେ ହରାଇ ସ୍ବର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି । ନିତୁ ଓ ଅମିତଙ୍କ ପଦକୁ ମିଶାଇ ଭାରତ ୧୫ ଗୋଲ୍ଡ ମେଡାଲ ସହ ମୋଟ ୪୩ ପଦକ ହାସଲ କରିଛି ।

ମହିଳା ହକି ଟିମକୁ ବ୍ରୋଞ୍ଜ

ସେହିପରି ମହିଳା ହକି ଟିମ୍ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଛି । ସେମିଫାଇନାଲରେ ହାରିବା ପରେ ଭାରତୀୟ ମହିଳା ଟିମ୍ ବ୍ରୋଞ୍ଜ ପଦକ ଲଢେଇରେ ନ୍ୟୁଜଲାଣ୍ଡକୁ ଭେଟିଥିଲା । ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ଭଭୟ ଦଳ ଗୋଟିଏ ଲେଖାଏଁ ଗୋଲ ଦେବାକୁ ସକ୍ଷମ ହୋଇଥିଲେ । ପରେ ସୁଟ ଆଉଟ ହୋଇଥିଲା । ଯେଉଁଥିରେ ଭାରତ ୨-୧ରେ ଜିତି ବ୍ରୋଞ୍ଜ ପଦକ ନିଜ ନାଁରେ କରିଛି ।

ସୁନା ପାଇଁ ଲଢିବେ ସିନ୍ଧୁ

ଅନ୍ୟପକ୍ଷରେ ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ସେମିଫାଇନାଲରେ ଦମଦାର ବିଜୟ ସହ ଫାଇନାଲରେ ପ୍ରବେଶ କରିଛନ୍ତି । ଏବେ ଗୋଲ୍ଡ ପାଇଁ ସେ ଟ୍ରାକକୁ ଓହ୍ଲାଇବେ । ସେମି ଫାଇନାଲରେ ପ୍ରତିପକ୍ଷ ସିଙ୍ଗାପୁର ଖେଳାଳି ଜିୟା ମେନଙ୍କୁ ୨୧-୧୯, ୨୧-୧୭ ସେଟରେ ପରାସ୍ତ କରି ସିନ୍ଧୁ ଫାଇନାଲ ପାଇଁ ଟିକେଟ୍ କାଟିଛନ୍ତି ।