ରଙ୍ଗାରଙ୍ଗ ପରିବେଶରେ ବର୍ମିଂହାମରେ ଉଦଘାଟିତ ହୋଇଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା

ଲଣ୍ଡନ: ରଙ୍ଗାରଙ୍ଗ ପରିବେଶରେ ଇଂଲଣ୍ଡର ବର୍ମିଂହାମରେ ଉଦଘାଟିତ ହୋଇଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଅଲିମ୍ପିକ ପରେ ବିଶ୍ବ କ୍ରୀଡ଼ାର ଅନ୍ୟତମ ପ୍ରମୁଖ ଇଭେଣ୍ଟ ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଏଥିରେ ୭୨ଟି ଦେଶର କ୍ରୀଡ଼ାବିତ ଓ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି। ଏଥର ସ୍ବାସ୍ଥ୍ୟଗତ କାରଣ ପାଇଁ ଇଂଲଣ୍ଡ ରାଣୀ ଏଲିଜାବେଥ ଅଂଶଗ୍ରହଣ କରିନଥିଲେ।
ତେବେ ଯୁବରାଜ ଚାର୍ଲସ ଉପସ୍ଥିତ ରହି ଖେଳାଳିଙ୍କ ମନୋବଳ ବଢ଼ାଇଥିଲେ। ଉଦଘାଟନୀ ଉତ୍ସବରେ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଓ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ ତ୍ରିରଙ୍ଗା ଧରି ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ୧୧ ଦିନିଆ ପ୍ରତିଯୋଗିତାରେ ୫୦୦୦ରୁ ଅଧିକ କ୍ରୀଡ଼ାବିତ ଅଂଶଗ୍ରହଣ କରିଛନ୍ତି । ମେଗା ଇଭେଣ୍ଟରେ ଅଂଶଗ୍ରହଣ କରୁଛନ୍ତି ୨୧୫ଜଣିଆ ଭାରତୀୟ ଦଳ । ବିଭିନ୍ନ ଇଭେଣ୍ଟରେ ଆଜି ପଡ଼ିଆକୁ ଭାରତ।
ଲନ ବ୍ରାଉଲ୍ସ କ୍ରୀଡ଼ାରୁ ଭାରତୀୟ ଦଳ ଅଭିଯାନ ଆରମ୍ଭ କରିବ। ତେବେ ହକି ଓ କ୍ରିକେଟ ଉପରେ ରହିଛି ଭାରତୀୟଙ୍କ ନଜର। ଆଜି ସନ୍ଧ୍ୟା ୬ଟା ୩୦ରେ ଭାରତୀୟ ମହିଳା ହକି ଦଳ ପ୍ରଥମ ମ୍ୟାଚରେ ଘାନାକୁ ଭେଟିବ। ସେହିଭଳି ରାତି ୮ଟାରେ ମହିଳା କ୍ରିକେଟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଏହା ସହିତ ଆଜି ଭାରତ ଟେବୁଲ ଟେନିସ, ସୁଇମିଂ, ଟ୍ରାଇଥଲନ୍, ବକ୍ସିଂ, ସ୍କ୍ବାସ୍, ବ୍ୟାଡମିଟନ ଆଦି ଖେଳ ଖେଳିବ।