ଜେରାରୁ ଜଣା ପଡ଼ିବ ଜେଲରୁ ଚୋରା ବନ୍ଧୁକ କାରବାରର ସତ !
1 min read
ଭୁବନେଶ୍ୱର: କମିଶନରେଟ୍ ପୋଲିସର ରିମାଣ୍ଡରେ ଡି-ବ୍ରଦର୍ସ । ଖୋଲିବ ଚୋରା ବନ୍ଧୁକ କାରବାରର ଗୁମର । ଡି-ବ୍ରଦର୍ସ ଜେଲରେ ଥିବାବେଳେ କିଭଳି ଚାଲିଛି ବନ୍ଧୁକ କାରବାର ? ଏଥିରେ କିଏ କରୁଛି ସହଯୋଗ ? ଜେଲରୁ ଥାଇ କାହା ମାଧ୍ୟମରେ ଅପରାଧ ସାମ୍ରାଜ୍ୟ ବଢ଼ାଉଛନ୍ତି ଧଳସାମନ୍ତ ବ୍ରଦର୍ସ । ଏସବୁର ଗୁମର ଖୋଲିବ କମିଶନରେଟ୍ ପୋଲିସ । ଏଥିପାଇଁ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତଙ୍କୁ କମିଶନରେଟ୍ ପୋଲିସ ରିମାଣ୍ଡରେ ନେଇଛି ।

କମିଶନରେଟ୍ ପୋଲିସ ଡି-ବ୍ରଦର୍ସଙ୍କୁ ଆଜିଠାରୁ ରିମାଣ୍ଡରେ ନେଇଛି । ୩ ଦିନିଆ ରିମାଣ୍ଡରେ ଚୋରା ବନ୍ଧୁକ କାରବାରର ସତ ଖୋଜି ବାହାର କରିବ କମିଶନରେଟ୍ ପୋଲିସ । ଗତ ଡିସେମ୍ବର ୧୦ ତାରିଖରେ କମିଶନରେଟ୍ ପୋଲିସ ଡି-ବ୍ରଦର୍ସଙ୍କ କଟକ ସିଡିଏ ସେକ୍ଟର-୬ ସ୍ଥିତ ଘରେ ଚଢ଼ାଉ କରିଥିଲା । ରେଡ୍ ବେଳେ ଡି-ବ୍ରଦର୍ସ ଘରୁ ୭ଟି ବନ୍ଧୁକ ସହ ୫୦୦ ରାଉଣ୍ଡ ଗୁଳି ଜବତ କରିଥିଲା । ତା’ପରଦିନ ବି କମିଶନରେଟ୍ ପୋଲିସ ଡି-ବ୍ରଦର୍ସ ସହଯୋଗୀଙ୍କ ଘରେ ରେଡ୍ କରିଥିଲା । ପୋଲିସ ମୋଟ ୧୬ଟି ବନ୍ଧୁକ ସହ ୧୦୯୫ଟି ଗୁଳି ଜବତ କରିଥିଲା ।

ତେବେ, ଧଳସାମନ୍ତ ଭ୍ରାତା ଜେଲରେ ଥିବାବେଳେ ଏତେ ପରିମାଣର ଅସ୍ତ୍ରଶସ୍ତ୍ର ତାଙ୍କ ଘରକୁ କେମିତି ଆସିଲା ? ପରେ ଡି-ବ୍ରଦର୍ସଙ୍କ ସହଯୋଗୀ ଘରୁ ବି ପୋଲିସକୁ ମିଳିଥିଲା ଅସ୍ତ୍ରଶସ୍ତ୍ର । ଏସବୁ ଉପରୁ ପରଦା ଉଠାଇବାକୁ କମିଶନରେଟ୍ ପୋଲିସ ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ ଆଣିଛି । ପଚରାଉଚରା ପରେ ଜଣାପଡ଼ିବ ଡି-ବ୍ରଦର୍ସ ସାମ୍ରାଜ୍ୟର ଅପରାଧ ଚେର ଜେଲ ପାଚେରି ଭାଙ୍ଗି କାହା ସହାୟତାରେ କେତେ ବାଟ ଲିମ୍ବିଛି ।
ଏଥିସହ ପଢ଼ନ୍ତୁ- ଜେଲରୁ ଗ୍ୟାଙ୍ଗ ଚଳାଉଛନ୍ତି ଡି-ବ୍ରଦର୍ସ ! ଘରୁ ଜବତ ହେଲା ବନ୍ଧୁକ ଓ ଗୁଳିଗୋଳା