ଆକ୍ସନ ମୋଡରେ କମିଶନରେଟ ପୋଲିସ: ବାହାର ରାଜ୍ୟର ଅପରାଧୀଙ୍କୁ ଧରିବାକୁ ମାଷ୍ଟରପ୍ଲାନ

ଭୁବନେଶ୍ବର: ବାହାର ରାଜ୍ୟର ଅପରାଧୀଙ୍କୁ ଧରିବାକୁ ମାଷ୍ଟର ପ୍ଲାନ । ଅନ୍ୟ ପୋଲିସ ସହ ଯୋଗାଯୋଗରେ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ । ପୋଲିସ ହାତରେ ଆନ୍ତଃରାଜ୍ୟ ଅପରାଧୀଙ୍କ ଡାଟାବେସ୍ । ରାଜଧାନୀରେ ନିକଟ ଅତୀତରେ ଘଟିଥିବା ୫ରୁ ଊର୍ଦ୍ଧ୍ବ କେସରେ ଆନ୍ତଃରାଜ୍ୟ ଅପରାଧୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ସେମାନଙ୍କୁ ମାତ୍ ଦେବା ପାଇଁ ଆରମ୍ଭ ହୋଇଛି ବ୍ଲୁ ପ୍ରିଣ୍ଟ । ୪ ଜଣଙ୍କୁ ଏନକାଉଣ୍ଟର ପରେ ଏବେ ଆନ୍ତଃରାଜ୍ୟ ଅପରାଧୀଙ୍କ ମନରେ ପଶିଛି ଛନକା ।

ଖୋଜି ଖୋଜି ଆନ୍ତଃରାଜ୍ୟ ଅପରାଧୀଙ୍କୁ କରାଯାଉଛି ଏନକାଉଣ୍ଟର । ସ୍ପେଶାଲ ସ୍କ୍ବାଡ ହାତରେ ହାର୍ଡକୋର କ୍ରିମିନାଲଙ୍କ ଡାଟାବେସ୍ । ରାଜ୍ୟ ବାହାର ଜେଲରୁ ନିଆଯାଉଛି କ୍ରିମିନାଲଙ୍କ ତଥ୍ୟ । ଅପରାଧୀଙ୍କ କେସ୍ ହିଷ୍ଟ୍ରି ଓ ଗତିବିଧି ଉପରେ ରହିଛି କଡା ନଜର । ଏୟାରଫିଲ୍ଡ ଥାନା ଲବଣଗିରିରୁ ଚେନ ଝାମ୍ପି ମହିଳାଙ୍କ ଜୀବନ ନେଇଗଲେ । ଭୁବନେଶ୍ୱରର ଦୁଇଟି ସ୍ଥାନରୁ ସାଇବର ଠକଙ୍କ ସିମ ବକ୍ସ ଓ ଡିଜିଟାଲ ଡିଭାଇସ ବସାଇ କୋଟି କୋଟି ଲୁଟିଲେ । ବିବାହ ମଣ୍ଡପରୁ ମାରାଥନ ଚୋରି କରି ଘାଇଲା କଲେ । ପୁଣି ଶେଷରେ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କଲେ । ସମସ୍ତ ଘଟଣାରେ ଆନ୍ତଃରାଜ୍ୟ ଅପରାଧୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଲା । ଅପରାଧର ଅଳିନ୍ଦରେ ଅଣନିଶ୍ୱାସୀ ହୋଇପଡିଥିବା ପୋଲିସ ପାଇଁ ସଂଜୀବନୀ ସାଜିଲା ସ୍ପେଶାଲ ସ୍କ୍ବାଡ । ସମସ୍ତ କେସରେ ବାହାର ରାଜ୍ୟକୁ ଯାଇ ଅପରାଧୀଙ୍କୁ ଧରିଲା । ସବୁଠାରୁ ବଡ଼କଥା ହେଉଛି, ଗତ ୩ ମାସ ଭିତରେ ୪ଜଣ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଏନକାଉଣ୍ଟର କରିଛି ପୋଲିସ୍ । ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଡିସିପି ।

ବାହାର ରାଜ୍ୟର ପୋଲିସର ସ୍ପେଶାଲ ଟିମ ଓ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ ମଧ୍ୟରେ ଏ ନେଇ ଆଲୋଚନା ପରେ ଆନ୍ତଃରାଜ୍ୟ ପେଶାଦାରଙ୍କ କେସ ହିଷ୍ଟ୍ରି ଖୋଜିଛି ସ୍ପେଶାଲ ସ୍କ୍ବାଡ । ନିକଟ ଅତିତରେ ବାହାର ରାଜ୍ୟରେ ଘଟିଥିବା ଅପରାଧରେ ଅପରାଧୀଙ୍କ ଷ୍ଟାଇଲ ଅଫ ଅପରେସନ ବିଷୟରେ ତଥ୍ୟ ଏକାଠି କରିଛି । ବିଭିନ୍ନ ଜେଲରୁ ହାର୍ଡକୋରଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଏପରିକି ଓଡ଼ିଶାର କିଛି ହାର୍ଡକୋର ଙ୍କ ସମ୍ପର୍କରେ ତେଲେଙ୍ଗାନା, ବିହାର, ଆନ୍ଧ୍ର ପ୍ରଦେଶ ଓ କେରଳ ପୋଲିସକୁ ତଥ୍ୟ ଦେଇ ସହଯୋଗର ହାତ ବଢ଼ାଇଛି କମିଶନରେଟ ପୋଲିସ । କେବଳ ସେତିକି ନୁହେଁ, ଆକ୍ସନକୁ ଆହୁରି ବ୍ୟାପକ କରିବା ପାଇଁ ସହର ଭିତରେ ଭଡାଟିଆ ଚିହ୍ନଟ ପ୍ରକ୍ରିୟାକୁ ମଧ୍ୟ ଜୋରଦାର କରାଯାଇଥିବା କହିଛନ୍ତି ଡିସିପି । ଏପରିକି ପେସାଦାର ଅପରାଧୀଙ୍କୁ ଗିରଫ ପରେ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ ମଧ୍ୟ ତ୍ୱରିତ ପ୍ଲାନ ପ୍ରସ୍ତୁତ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ ।