ରାଜଧାନୀର ବିଭିନ୍ନ ହୋଟେଲ ଓ ଲଜରେ ଚେକିଂ, ସରାଇ ନିୟମକୁ କଡ଼ାକଡ଼ି କରିଛି ପୋଲିସ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ଥାନା ମାନଙ୍କରେ ଥିବା ହୋଟେଲ ଓ ଲଜରେ ଚେକିଂ କରିଛି କମିଶନରେଟ ପୋଲିସ। ରାଜଧାନୀରେ ଡେରା ପକାଉଥିବା ଲୁଟେରା ଓ ଠକଙ୍କୁ ଠାବ କରିବାକୁ ଯାଇ ସରାଇ ନିୟମକୁ କଡ଼ାକଡ଼ି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ କମିସନରେଟ୍ ପୋଲିସ ରାଜଧାନୀରେ ବହୁ ହୋଟେଲ୍, ଲଜ୍ ଓ ଗେଷ୍ଟ୍ହାଉସ୍ ବୁଲି ଯାଞ୍ଚ କରିଛି। ଭୁବନେଶ୍ବରର କ୍ୟାପିଟାଲ, ଖାରବେଳ ନଗର, ସହିଦନଗର, ଭରତପୁର, ଲକ୍ଷ୍ମୀସାଗର, ଖଣ୍ଡଗିରି, ବଡ଼ଗଡ଼, ନୟାପଲ୍ଲୀ ଆଦି ଥାନା ଅଞ୍ଚଳସ୍ଥିତ ହୋଟେଲ, ଲଜ୍ ଓ ଗେଷ୍ଟ ହାଉସରେ ଯାଞ୍ଚ୍ କରିବା ସହିତ ସରାଇ ଆପ୍କୁ ବ୍ୟବହାର କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସନ୍ଦିଗ୍ଧଙ୍କୁ ଧରିବା ପାଇଁ ଏଭଳି ପନ୍ଥା ଆପଣାଇଛି ପୋଲିସ ।
ଗତ ବର୍ଷ ମାନଙ୍କରେ ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରା, ଗ୍ୟାସ୍ କଟର୍ ବ୍ୟବହାର କରୁଥିବା ସିନ୍ଧିଚୋର ଓ ବଙ୍ଗୀୟ ଲୁଟେରାମାନେ ରାଜଧାନୀର ବିଭିନ୍ନ ହୋଟେଲ୍ରେ ରହି ଲୁଟପାଟ୍ କରିଥିଲେ। ସେହିଭଳି ରାଜଧାନୀରୁ ଧରାହେଉଥିବା ସାଇବର ଠକ ବା ଜମତରା ଗ୍ୟାଙ୍ଗ୍ ଠାବ ହୋଟେଲରେ ରହୁଥିଲେ। ସରାଇ ନିୟମକୁ ହୋଟେଲ କର୍ତ୍ତୃପକ୍ଷ ଫୁ’ କରିଦେଇଥିବାରୁ ଏହି ଗ୍ୟାଙ୍ଗ୍ ସବୁ ରାଜଧାନୀରେ ସହଜରେ ଡେରା ପକାଇଥିଲେ। ତେଣୁ ଏଣିକି ସରାଇ ନିୟମକୁ କଡ଼ାକଡ଼ି କରି ପୋଲିସ ରାଜଧାନୀରେ ଲୁଟେରା ଓ ଠକଙ୍କୁ ମଉକା ଦେବ ନାହିଁ ବୋଲି ଯୋଜନା କରିଥିବା ପୂର୍ବରୁ ସୂଚନା ଦେଇଥିଲେ ଡିସିପି।