ପୋଲିସ ନଜରରେ ରାଜଧାନୀର ଗଳିକନ୍ଦି, ମଦୁଆ ଓ ଅମାନିଆଙ୍କୁ ମିଳିବନି ନିସ୍ତାର

ଭୁବନେଶ୍ବର: ବର୍ଷର ଶେଷ ଦିନ । ରାତି ୧୨ଟାରେ ୨୦୨୪କୁ ସ୍ବାଗତ କରିବାକୁ ସବୁଠି ପ୍ରସ୍ତୁତି । ଜିରୋ ନାଇଟ୍ ସେଲିବ୍ରେସନ ସହ ନୂଆବର୍ଷକୁ ଜାକଜମକରେ ପାଳନ କରିବାକୁ ସମସ୍ତେ ଲାଗି ପଡ଼ିଛନ୍ତି ପ୍ରସ୍ତୁତିରେ । ଏହାର ସୁଯୋଗ ନେଇ ମଦୁଆ ଓ ଅମାନିଆ ରାସ୍ତାରେ ଚରୁଛନ୍ତି ରାଜୁତି । ହେଲେ ନୂଆବର୍ଷ ପୂର୍ବରୁ ଏମାନଙ୍କୁ ସାବାଡ଼ କରିବାକୁ କମିସନରେଟ ପୋଲିସ ବି ପ୍ରସ୍ତୁତ ।

ନିଶାଡ଼ି ଓ ଅମାନିଆ ଡାଳେ ଡାଳେ ଗଲେ କମିସନରେଟ୍ ପୋଲିସ ଯାଉଛି ପତରେ ପତରେ ।  ନୂଆବର୍ଷ ପୂର୍ବରୁ ରାଜଧାନୀରେ ଆକ୍ଟିଭ୍ ମୋଡରେ ପୋଲିସ । ବିଭିନ୍ନ ଛକରେ ବ୍ଲକିଂ କରି ଚାଲିଛି ଚେକିଂ । ମଦ୍ୟପ ଓ ଅମାନିଆ ଗାଡି ଚାଳକଙ୍କୁ କରାଯାଉଛି ଜରିମାନା । କଟକ ରୋଡ, କଳ୍ପନା, ଝାରପଡ଼ା ଛକ, ନନ୍ଦନକାନନ ରୋଡ୍, କିଟ୍ ଛକ୍, ଡେଲଟା ଛକରେ କମିସନରେଟ ପୋଲିସ ଚେକିଂକୁ କରିଛି ଜୋରଦାର । ବରିଷ୍ଠ ଅଧିକାରୀଙ୍କ ସହ ୩ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇ ଚେକିଂ କରିଥିଲେ । ଆଗକୁ ଭୁବନେଶ୍ବରରେ ସେଫ୍ ସିଟି ଡ୍ରାଇଭ୍ ଜୋରଦାର ହେବ ବୋଲି କମିସନରେଟ ପୋଲିସ ପକ୍ଷରୁ କୁହାଯାଇଛି ।