ରାଜଧାନୀରେ ଅପରାଧୀଙ୍କ ଉପରେ ଲାଗିବ ଅଙ୍କୁଶ, ଦାଦାଗିରିକୁ କରାଯିବନି ବରଦାସ୍ତ

ଭୁବନେଶ୍ୱର: ଦାଦାଗିରି ନୁହେଁ, ରାଜଧାନୀରେ ଚାଲିବ ପୋଲିସଗିରି । ଷୋଳପୂଜାରୁ ଆକ୍ସନ ମୋଡ଼ରେ ଟିମ ପ୍ରତୀକ । ଟ୍ରାକ୍ ରେକର୍ଡ ମୁତାବକ ହାତରେ ପଡିବ ହାତକଡ଼ି । ସପ୍ତାହକୁ ଥରେ ଥାନାରେ ହାଜର ହେବେ ଅପରାଧୀ । ଅଭ୍ୟାସଗତ ଅପରାଧୀ, ଚୋରି, ହତ୍ୟାକାଣ୍ଡ, ରାହାଜାନି ଓ ଗଣ୍ଡଗୋଳ କରି ପୋଲିସ ଫାଇଲରେ ନାଁ ଚଢ଼ିଥିବା ଅପରାଧୀଙ୍କ ଛାତି ଏବେ ଧଡ଼ଧଡ଼ । ଭୁବନେଶ୍ୱରରେ ଥିବା ଅପରାଧୀଙ୍କୁ ଥାନାରେ ହାଜର ହେବା ପାଇଁ କମିଶନରେଟ୍ ପୋଲିସର ତାଗିଦ୍ । ଡିସିପିଙ୍କ ନେତୃତ୍ୱ କ୍ରମେ ପ୍ରାଥମିକ ପର୍ଯ୍ୟାୟରେ ଅଭ୍ୟାସଗତ ଅପରାଧିଙ୍କ ତାଲିକା ପ୍ରସ୍ତୁତ କରିଛି ପୋଲିସ । ୧୨ଟି ଥାନାରେ ୬୨ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଛି ।

ଏୟାରଫିଲ୍ଡ, ଚନ୍ଦକା ଓ ଚନ୍ଦ୍ରଶେଖରପୁର ଥାନାର ଦୁଇଜଣ ଲେଖାଏଁ ବଡ଼ଗଡ଼ର ଜଣେ, କ୍ୟାପିଟାଲ, ଧଉଳି ଓ ଜଟଣୀ ଥାନାର ଜଣେ ଲେଖାଏଁ, ଇନଫୋସିଟି ଥାନାର ୩ଜଣ, ନୟାପଲ୍ଲୀରୁ ୫, ଖଣ୍ଡଗିରିରୁ ୬, ଲକ୍ଷ୍ମୀସାଗରରୁ ୧୮ ଏବଂ ମଞ୍ଚେଶ୍ବର ଥାନା ଅଞ୍ଚଳରୁ ସର୍ବାଧିକ ୨୦ଜଣ ଦାଗୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । କମିଶନରେଟ ପୋଲିସର ଆରମ୍ଭ ହୋଇଥିବା ଏହି ଅପରେସନ୍ କ୍ଲିନ ସୁଇପରେ ଆଗକୁ ଆହୁରି ଅପରାଧିଙ୍କ ନାଁ ଯୋଡ଼ି ହେବ । ଅପରାଧ ଛାଡ଼ିପାରୁନଥିବା ଅଭ୍ୟାସଗତଙ୍କ ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି । ଆଗକୁ ପାର୍ବଣ ଥିବାରୁ ଯେମିତି କୌଣସି ଅପ୍ରୀତିକର ଘଟଣା ନଘଟେ, ସେନେଇ ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଛି ।

ଏପରି କି ପାର୍ବଣରେ ଜୋରଜବରଦସ୍ତ ଚାନ୍ଦା ମାଗୁଥିବା ଅସାମାଜିକଙ୍କ ପାଇଁ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ବାରମ୍ବାର ଅପରାଧରେ ସଂଶ୍ଳିଷ୍ଟ ଥିବା ଅପରାଧୀଙ୍କୁ ହଣ୍ଡ୍ରେଡ୍ ଟେନ୍, ଏନଏସଏରେ ବୁକ୍ କରାଯିବ । ଆଗକୁ ଦୁର୍ଗା ପୂଜା ଓ କାଳୀ ପୂଜା ଥିବାରୁ ଜେଲ୍ ଫେରନ୍ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିବା ସମନ୍ୱୟ ବୈଠକରେ କହିଛି କମିଶନରେଟ୍ ପୋଲିସ । ଆଜିଠୁ ଷୋଳପୂଜା ଆରମ୍ଭ ହେଉଛି । ଏଣୁ ବିଭିନ୍ନ ଥାନାରେ ଅପରାଧ ଦମନ ପାଇଁ ରାତିରେ ଅପରାଧିଙ୍କୁ ଉଠାଇବାକୁ ଯୋଜନା କରିଛି ପୋଲିସ୍ ।