ଫେକ୍ କଲ ସେଣ୍ଟର ମାମଲା: ଗିରଫ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ

1 min read

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ଫେକ କଲସେଣ୍ଟର ଠାବ ହେବା ଘଟଣା । ଗିରଫ ୬ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଛି ପୋଲିସ । ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।

ସାରା ଦେଶରେ ଏମାନେ ଠକେଇ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅଧିକ ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ ଗଠନ ହୋଇଛି । ଯେଉଁଥିରେ କିଛି ସାଇଣ୍ଟିଫିକ ଓ ଟେକ୍ନିକାଲ ଅଫିସର ଅଛନ୍ତି । ସଫ୍ଟୱେର ପ୍ରଡକ୍ଟ ସହ ଆଣ୍ଟି-ଭାଇରସ ଅପଲୋଡ଼ କରିବାକୁ କହି ଆମେରିକାର କିଛି ଲୋକଙ୍କୁ ମଧ୍ୟ ଚୁନା ଲଗାଇଛନ୍ତି ଏହି ଠକ ।

ଗିରଫ ଅଭିଯୁକ୍ତମାନେ ବେଶ ଉଚ୍ଚ ଶିକ୍ଷିତ । ଏହି ସାଇବର ଠକମାନଙ୍କର ଆକାଉଣ୍ଟ ଯାଞ୍ଚ ଚାଲିଛି । ବ୍ୟାଙ୍କ ସହ କଥା ହୋଇଛି କମିଶନରେଟ ପୋଲିସ । ଭୁବନେଶ୍ୱରରେ ସେଣ୍ଟ୍ରାଲ ଆଇବିର ଟିମ ମଧ୍ୟ ଆସି ପହଞ୍ଚିଛି । ଶୀଘ୍ର କୋଲକାତା ଗସ୍ତ କରିବ କମିଶନରେଟ ପୋଲିସ ।

ସେପଟେ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି କମିଶନରେଟ ପୋଲିସ । ୬ ଅଭିଯୁକ୍ତ ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ୱର ସୁନ୍ଦରପଦାରେ କୋକିଳା କାଞ୍ଚନ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାର ଫ୍ଲାଟ ନମ୍ବର ୨୦୫ରେ ଫେକ କଲସେଣ୍ଟର ଚଳାଇଥିଲେ । ଚଢ଼ାଉ କରି ୬ ଅଭିଯୁକ୍ତଙ୍କୁ ଧରିବା ସହ ଅନେକ କଲସେଣ୍ଟର ଉପକରଣ ଜବତ କରିଥିଲା କମିଶନରେଟ ପୋଲିସ ।