ଦୃଶ୍ୟମ ଫର୍ମୁଲା ଆପଣାଇ ବେଳେଶ୍ବର ଡବଲ ମର୍ଡର ଘଟଣାର ପର୍ଦ୍ଦାଫଶ କଲା କମିଶନରେଟ ପୋଲିସ
1 min read
କଟକ: ବହୁ ଚର୍ଚ୍ଚିତ ବେଲେଶ୍ୱର ହତ୍ୟାକାଣ୍ଡ ଘଟଣାର ପର୍ଦ୍ଧାଫାଶ । ବଲିଉଡ଼ ଫିଲ୍ମ ‘ଦୃଶ୍ୟମ-୨’ ଷ୍ଟାଇଲରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ଫିଲ୍ମରେ ପୋଲିସ ସିନା ଅଜୟ ଦେବଗନଙ୍କୁ ଧରି ପାରି ନଥିଲା । ହେଲେ ସମାନ ଟ୍ରିକ୍ ଆପଣାଇ କମିଶନରେଟ ପୋଲିସ ବେଲେଶ୍ବର ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି । ଦୀର୍ଘ ୫ ବର୍ଷ ପରେ ପୋଲିସକୁ ଏହି ସଫଳତା ମିଳିଛି । ମୃତ ଶ୍ରୀନାଥ ସାମଲ ଏବଂ ତାଙ୍କ ପତ୍ନୀ ବିଦୁଲତା ସାମଲଙ୍କ ଘରେ କାମ କରୁଥିବା ଚାକରାଣୀ ଓ ତାଙ୍କ ସ୍ୱାମୀ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କହିଛି । ଚାକରାଣୀକୁ ଉଭୟ ବୃଦ୍ଧ ଦମ୍ପତି ଗାଳିଗୁଲଜ କରୁଥିବାରୁ ରାଗ ରଖି ଏଭଳି ହତ୍ୟାକାଣ୍ଡ କରିଥିବା ସାମ୍ୱାଦିକ ସମ୍ମୀଳନୀରେ ପୋଲିସ କହିଥିବା ବେଳେ ଦୀର୍ଘ ବର୍ଷର ତଦନ୍ତ ପକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି । ଅନ୍ୟପଟେ ପରିବାର ଲୋକେ ମଧ୍ୟ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ।
୨୦୧୯ରେ ଘଟିଥିଲା ହତ୍ୟା । ୨୦୨୫ରେ ଗିରଫ । ବହୁଚର୍ଚ୍ଚିତ ବେଲେଶ୍ୱର ବୃଦ୍ଧ ଦମ୍ପତି ଶ୍ରୀନାଥ ସାମଲ ଓ ବିଦୁଲତା ସାମଲଙ୍କ ହତ୍ୟା ଘଟଣାର ପର୍ଦ୍ଧାଫାଶ । ଚାକରାଣୀ ବାସନ୍ତୀ ଓ ତାଙ୍କ ସ୍ୱାମୀ ସନ୍ତୋଷ ଗିରଫ । ଉଭୟେ ଶ୍ରୀନାଥ ଏବଂ ବିଦୁଲତାଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିବା ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ । ଦୀର୍ଘ ବର୍ଷ ତଦନ୍ତ କରି ପୋଲିସ ମୁଖ୍ୟ ଅଭିଯୁକ୍ତ ପାଖରେ ପହଁଞ୍ଚି ପାରି ନଥିବାବେଳେ ହଠାତ ଏହି ମାମଲାର ତଦନ୍ତ ପୁଣି ଆରମ୍ଭ ହୋଇଥିଲା । ସିଡିଆର ବା କଲ ଡିଟେଲ୍ସ ରେକର୍ଡ ଯାଞ୍ଚ କରୁ କରୁ ହତ୍ୟାକାଣ୍ଡ ପୂର୍ବ ଦିନରୁ ହତ୍ୟାକାଣ୍ଡ ପରଦିନ ପର୍ଯ୍ୟନ୍ତ ପ୍ରାୟ ୪୦ ଘଣ୍ଟା ଧରି ଚାକରାଣୀ ବାସନ୍ତୀର ଫୋନ ସୁଇଚ ଅଫ ଥିଲା ବୋଲି ଜଣାପଡିଥିଲା । ଆଉ ସେହି ଠୁଁ ହିଁ ପୋଲିସର ସନ୍ଦେହ ବଢିବା ସହ ପୁଣି ତଦନ୍ତ ଆରମ୍ଭ କରିଥିଲା ।
ପୋଲିସ ସେମାନଙ୍କ ନିକଟରେ ପହଁଞ୍ଚିବା ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ ହୋଇଥିଲା । ଯୋଜନା ମୁତାବକ ବେଲେଶ୍ୱର ଅଞ୍ଚଳରେ ରହୁଥିବା ବାସନ୍ତୀ ଓ ସ୍ୱାମୀଙ୍କ ସହ ଚାକର ସାଜି ଯୋଗଯୋଗ କରିଥିଲା ପୋଲିସ । ଦୁହିଁଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ପୋଲିସ । ଏହି ଜାଲରେ ଉଭୟେ ଫସି ନିଜ ଦୋଷ ମାନିବା ସହ ପୋଲିସ ହାତରେ ଗିରଫ ହୋଇଛନ୍ତି । ପୋଲିସ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ ମଧ୍ୟ କରିଛି ।
ଉଭୟଙ୍କ ଗିରଫ ପରେ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ମୃତ ଶ୍ରୀନାଥ ଓ ବିଦୁଲତାଙ୍କ ପରିବାର । ହେଲେ ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥାଇପାରେ ବୋଲି କହିଛନ୍ତି । ତେବେ ପୋଲିସର ତଦନ୍ତକୁ ନେଇ ସୃଷ୍ଟି ହୋଇଛି ନାନା ସନ୍ଦେହ । ୫ ବର୍ଷ ପରେ ସିଡିଆର ରିପୋର୍ଟରେ ଯଦି ଉଭୟଙ୍କ ଫୋନ ସୁଇଚ ଅଫ ଥିଲା ଜଣାପଡିଲା, ସେତେବେଳେ କାହିଁକି ତେବେ ତାହା ପୂର୍ବରୁ ଜଣାପଡିଲା ନାହିଁ କେମିତି ? ହତ୍ୟାକାଣ୍ଡ ପୂର୍ବରୁ ଚାକରାଣୀ ଘରୁ ପଳାଇ ଯାଇଥିବା ବେଳେ ପୋଲିସ କାହିଁକି ସନ୍ଦେହ କରି ନଥିଲା ? ତଦନ୍ତ ପରିସରଭୁକ୍ତ କାହିଁକି ହୋଇ ନଥିଲେ ଦମ୍ପତି ? ପୋଲିସର ହସ୍ତଗତ ହୋଇଥିବା ଫିଙ୍ଗର ପ୍ରିଣ୍ଟ ସତ ନା ନାହିଁ ? କଟୁରିରେ ହାଣି ହତ୍ୟା କରାଯାଇଥିବା କୁହାଯାଉଥିବାବେଳେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଜବତ କରିନାହିଁ ପୋଲିସ । ଉଭୟଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପୋଲିସ ପାଇଁ କାଠିକର ପାଠ ହେବ ବୋଲି ଆଇନଜୀବି ମତ ଦେଇଛନ୍ତି ।