spot_img

Latest Posts

ପିପୁଲ୍ସ ଫ୍ରେଣ୍ଡଲି ହୋଇ ପାରୁନି କି କମିଶନରେଟ୍ ପୋଲିସ

ଭୁବନେଶ୍ୱର: ମାଡ଼ ଖାଉଛି ପୋଲିସ, ବାଟ ହୁଡୁଛନ୍ତି ଲୋକେ। ଥାନା ଭିତରେ ଖାକି ବର୍ଦ୍ଦିଧାରୀଙ୍କୁ ନିର୍ଘାତ ମାଡ଼ । ପିପୁଲ୍ସ ଫ୍ରେଣ୍ଡଲି ହୋଇପାରୁନି କି ପୋଲିସ ? ସେପଟେ ମାନବାଧିକାର କମିଶନରେ ମଧ୍ୟ ବଢୁଛି ଖାକି ବିରୋଧରେ ମାମଲା। ରାଜଧାନୀରେ ବାରମ୍ବାର ସାମ୍ନାକୁ ଆସୁଛି ଖାକି ବର୍ଦ୍ଦିର ବିକଳ ଚିତ୍ର । ଭୁଶୁଡି ପଡୁଥିବା ଆଇନଶୃଙ୍ଖଳାର ନଗ୍ନ ନମୁନା ମଙ୍ଗଳବାର ଇନ୍ଫୋସିଟି ଥାନାରେ ଦେଖିବାକୁ ମିଳିଛି। ଯେଉଁଠାରେ ସାଧାରଣ ଲୋକଙ୍କ ମାଡ଼ରେ ମହିଳା ସବଇନ୍ସପେକ୍ଟର ଆହତ ହୋଇଛନ୍ତି। ଇଏ ହେଉଛି ସେହି ସାଙ୍ଘାତିକ ଚିତ୍ର। ୫୦ ଲୋକଙ୍କ ବିରୋଧରେ କେସ ରୁଜୁ କରିଛି ପୋଲିସ। ଅନ୍ୟପଟେ ଏଭଳି ଗୋଟିଏ କିମ୍ବା ଦୁଇଟି ଘଟଣା ନୁହେଁ ବିଗତ ୩ ବର୍ଷ ଭିତରେ ଟୁଇନସିଟିରେ କମିଶନରେଟ ପୋଲିସ ଉପରକୁ ୧୬ ଥର ଆକ୍ରମଣ ଘଟଣା ସାମ୍ନାକୁ ଆସିଛି ।

ପିପୁଲସ ଫ୍ରେଣ୍ଡଲି ହେବାକୁ ସଦାସର୍ବଦା ପ୍ରାଧାନ୍ୟ ଦେଇଛନ୍ତି ଡିଜିପି । କିନ୍ତୁ ବୟାନ ଓ ବାସ୍ତବତା ଭିତରେ ରହୁଛି ଅନେକ ତଫାତ। ମାନବାଧିକାର କମିଶନରେ ପୋଲିସ ବିରୋଧରେ ଗଡୁଛି ସର୍ବାଧିକ ମାମଲା । OHRCରେ ନ୍ୟାୟ ଅପେକ୍ଷାରେ ବର୍ତ୍ତମାନ ୧୫ ହଜାରରୁ ଉର୍ଦ୍ଧ ମାମଲା ଗଡୁଥିବା ବେଳେ ସେଥିମଧ୍ୟରୁ ୯ ହଜାର କେବଳ ପୋଲିସ ବିରୋଧରେ । ସେଥିମଧ୍ୟରୁ ଅନେକ ହାଜତ ମୃତ୍ୟୁ ମାମଲା ମଧ୍ୟ ରହିଛି । କମିଶନରେଟ ପୋଲିସରେ ମଧ୍ୟ ସମଦଶା ଦେଖିବାକୁ ମିଳିଛି । ବିଗତ ୮ ବର୍ଷରେ କମିଶନରେଟ ପୋଲିସର ୧୧୦ କେସ ଏବେ ମାନବାଧିକାର କମିଶନଙ୍କ ବିଚାରାଧୀନ ରହିଛି । ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ ଓ କମ୍ୟୁନିଟି ପୋଲିସିକୁ ଗୁରୁତ୍ୱ ଦେବାକୁ ହେଲେ ପୋଲିସ ତାର କାର୍ଯ୍ୟଶୈଳୀ, ବ୍ୟବହାରରେ ପରିବର୍ତ୍ତନ ଆଣିବା ଅପରିହାର୍ଯ୍ୟ ବୋଲି କହିଛନ୍ତି ଅବସରପ୍ରାପ୍ତ ପୋଲିସ ଅଧିକାରୀ ।

ଲୋକେ କିଭଳି ଥାନାରେ ଉତ୍ତମ ବ୍ୟବହାର ପାଇବେ, ସେ ନେଇ ପୂର୍ବରୁ ସରକାର ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ମାତ୍ରାଧିକ ଚାପରେ ରହୁଥିବା ପୋଲିସ ଅଧିକାଂଶ ସମୟ ବାଟ ହୁଡୁଛି। ଅପରାଧ ଓ ଆଇନଶୃଙ୍ଖଳାକୁ ପୃଥକ କଲେ ଏଭଳି ଘଟଣାରେ ରୋକ ଲାଗିପାରନ୍ତା ବୋଲି ମତ ପ୍ରକାଶ ପାଇଛି।

Latest Posts

Don't Miss