ଖୋଲୁଛି ପାଠକ ବାପ-ପୁଅଙ୍କର କଳା ସାମ୍ରାଜ୍ୟର ପେଡ଼ି, ସତ ଜାଣିବାକୁ ଟାଟା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲା କମିଶନରେଟ ପୋଲିସ

ଭୁବନେଶ୍ୱର: ଆକାଶ ପାଠକ ଟାଟା ମୋଟର୍ସର ଏମ୍‌ଡି କି ନାହିଁ । ଏହାର ସତ ଜାଣିବାକୁ ଟାଟା କମ୍ପାନୀକୁ ଚିଠି ଲେଖିଲା କମିଶନରେଟ ପୋଲିସ । ଭୁବନେଶ୍ୱର ଖାରବେଳନଗର ଥାନା ପକ୍ଷରୁ ଚିଠି ଲେଖାଯାଇଛି । ନିଜକୁ ଟାଟା ମୋଟର୍ସର ଏମ୍‌ଡି କହି ସ୍କାଏକିଙ୍ଗ୍‌ ଟ୍ରାଭେଲ ସଂସ୍ଥାକୁ ଆକାଶ ଠକିଥିବା ଖାରବେଳନଗର ଥାନାରେ ଆକାଶଙ୍କ ନାଁରେ ଅଭିଯୋଗ ହୋଇଛି । ଟାଟା ପକ୍ଷରୁ ଉତ୍ତର ଆସିଲେ ପୋଲିସ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ସେପଟେ ପାଠକ ବାପାପୁଅଙ୍କୁ ୩ ଦିନିଆ ରିମାଣ୍ଡର ନେଇ ଜେରା କରୁଛି ଭିଜିଲାନ୍‌ସ ଏସ୍‌ଆଇଟି । ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କଟକ ସିଟି ହସ୍ପିଟାଲ ନିଆଯାଇଥିଲା । ୧୦ ଜଣ ଭିଜିଲାନ୍‌ସ ଅଫିସରଙ୍କୁ ନେଇ ଗଠିତ ଦୁଇଟି ଟିମ୍‌ ବାପପୁଅଙ୍କୁ ଜେରା କରୁଛନ୍ତି । ବରିଷ୍ଠ ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ କେମିତି ହେଲେ କୁବେର । ବ୍ୟାଙ୍କରେ ଜମା ଅଛି ଜମି ବିକ୍ରି ଟଙ୍କା । ଏ ମିଛ ଉତ୍ତର ପଛର ସତ ଖୋଜୁଛି ଏସ୍‌ଆଇଟି ।

ଏପରିକି ପାଠକଙ୍କ ବିଭିନ୍ନ କର୍ମସ୍ଥଳୀରୁ ମିଳିଥିବା ଦୁର୍ନୀତିର ଇନପୁଟ୍‌କୁ ନେଇ ମଧ୍ୟ ପ୍ରଶ୍ନ କରିଛି ଭିଜିଲାନସ । ସରକାରୀ ଯୋଜନାରେ ଅର୍ଥ ଆତ୍ମସାତ କରିଛନ୍ତି କି ? ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ କେବେଠାରୁ ସଂପର୍କରେ ଅଛନ୍ତି ? ପୁଅ ଆକାଶ ପାଠକ ସତରେ କଣ ଟାଟା କମ୍ପାନୀରେ ଚାକିରି କରନ୍ତି ? ଚାକିରି ପୂର୍ବରୁ କଣ କରୁଥିଲେ ଆକାଶ ? ଏସବୁ ପ୍ରଶ୍ନ ପଚାରିଛି ଏସ୍‌ଆଇଟି ।

Leave a Reply