ପୋଲିସ, ଡାକ୍ତର ଓ ଇଭେଣ୍ଟ ମ୍ୟାନେଜର ସାଜି ଚଳାଇଥିଲେ ବ୍ରାଉନସୁଗାର ବେପାର

ଭୁବନେଶ୍ୱର: ରାଜଧାନୀରେ ଏସଟିଏଫକୁ ବଡ଼ ସଫଳତା । ବରମୁଣ୍ଡା ବସଷ୍ଟାଣ୍ଡରେ ଚଢାଉ କରି ୧ କିଲୋ ୨୩୮ ଗ୍ରାମ୍ ବ୍ରାଉନସୁଗାର ଓ ନଗଦ ୧୭ ହଜାର ଟଙ୍କା ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା ହେବ । ନିଶା କାରବାର ଅଭିଯୋଗରେ ପଶ୍ଚିମବଙ୍ଗ କପିଲଦେବ ମଜୁମଦାର ଓ ଖୋର୍ଦ୍ଦା ଅଞ୍ଚଳର ରଶ୍ମି ରଞ୍ଜନ ଭୋଳକୁ ଏସଟିଏପ ଗିରଫ କରିଛି । ପୋଲିସକୁ ଚକମା ଦେବା ପାଇଁ ଫୁଲା ବେପାରୀ ଓ ପୋଲିସ ବେଶରେ କାରବାର କରୁଥିଲେ । ଅଭିଯୁକ୍ତ ଦ୍ୱୟ ଗତ କାଲି ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଡିଲ ପାଇଁ ଆସିଥିବା ବେଳେ ଗୁଇନ୍ଦା ସୂଚନା ଆଧାରରେ କାବୁ କରି କୋର୍ଟ ଚାଲାଣ କରିଛି ଏସଟିଏଫ୍ ।

ଧଳା ଜହର ଧନ୍ଦାର ଚାଲିଛି ନୂଆ ଟ୍ରେଣ୍ଡ । ଛଦ୍ମବେଶର ବ୍ରାଉନସୁଗର କାରବାର । ଅସଲି ପୋଲିସ ହାତରେ ନକଲି ପୋଲିସ । ବରମୁଣ୍ଡାରେ ଡିଲ ବେଳେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । କପିଳଦେବ ମଜୁମଦାର ଘର ଚବିଶପ୍ରଗଣା, ପଶ୍ଚିମବଙ୍ଗ । ଜଣେ ଫୁଲ ବ୍ୟବସାୟୀ । ଫୁଲ ବିକିବା ବାହାନାରେ ପଶ୍ଚମବଙ୍ଗରୁ ବସରେ ଫୁଲ ଭିତରେ ବ୍ରାଉନ ସୁଗାର ଆଣି ରାଜଧାନୀରେ କରୁଥିଲା କାରାବାର । କପିଳଦେବର ସାଥ ଦେଉଥିଲା ରଶ୍ମି ।
ରଶ୍ମିରଞ୍ଜନ ଭୋଳ ଓରଫ ସିଲୁ । ପୋଲିସ, ଡାକ୍ତର ଓ ଇଭେଣ୍ଟ ମ୍ୟାନେଜର ବେଶରେ କରୁଥିଲା ଧଳା ଜହରର ଧନ୍ଦା । ପୋଲିସକୁ ଚକମା ଦେବା ପାଇଁ ଡ୍ରଗ୍ସ ମାଫିଆର ପୋଲିସ ଠାଣୀ ଥିଲା ।

ମୁଣ୍ଡରେ ପୋଲିସ କ୍ୟାପ୍ । ବୁଲେଟ ଗାଡିରେ ପୋଲିସ ଲୋଗୋ । ନିଶା କାରବାର ବେଳେ ପୋଲିସ ଠାରୁ ବର୍ତ୍ତିବା ପାଇଁ ରଶ୍ମିରଞ୍ଜନ ବୁଲେଟ୍ ଗାଡିରେ ପୋଲିସର ଲୋଗୋ ଲଗାଇ ବ୍ରାଉନସୁଗାର ବେପାର କରୁଥିଲେ । ଏପରିକି ରେଡ ଆଳରେ କିଛି ବ୍ରାଉନସୁଗର ବେପାରୀଠୁ ବ୍ରାଉନ ସୁଗର ଜବତ କରିଥିଲା ରଶ୍ମି । କେବଳ ସେତିକି ନୁହେଁ ଏମ୍ସର ସ୍ତ୍ରୀ ଓ ପ୍ରସୁତି ବିବାଗର ଡାକ୍ତର କହୁଥିଲା । ଏହା ବାଦ ସ୍ବସ୍ତିକା ଇଭେଣ୍ଟ ନାମରେ ମଧ୍ୟ ଆଇକାର୍ଡ ତିଆରି କରିଥିଲା ରଶ୍ମି ରଞ୍ଜନ । କାର୍ଡରେ ରଶ୍ମି ନିଜ ନାମକୁ ରୋଶନ ରାଜା ବୋଲି ଲେଖିଥିବା ବେଳେ ସଂସ୍ଥାର ଜିଏମ ଥିଲା । ଉଭୟଙ୍କ ଠାରୁ ୧ କିଲୋ ୨୩୮ ଗ୍ରାମ୍ ବ୍ରାଉନସୁଗାର , ନଗଦ ୧୭ ହଜାର ଟଙ୍କା ଓ ବୁଲେଟ ଜବତ କରିଛି ଏସଟିଏଫ । ଜବତ ବ୍ରାଉନସୁଗାରର ଆନୂମାନିକ ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା ହେବ ।

ସେପଟେ ଦୁଇ ଡ୍ରଗ୍ସ ମାଫିଆଙ୍କ ଆନ୍ତାରାଜ୍ୟ ଲିଙ୍କକୁ ଖୋଜୁଛି ଏସଟିଏଫ । କେବେ ଠାରୁ କାରବାର କରୁଥିଲେ ? ଓଡିଶାରେ କେତେ ଜାଗାକୁ ଧଳାଜହର ସପ୍ଲାଏ କରୁଥିଲେ ? ରାକେଟର କେତେ ଜଣ ପେଜଡଲର କାମ କରୁଛନ୍ତି ? ନା ଏମାନେ ଦୁଇ ଜଣ ନୂଆ ଗ୍ୟାଙ୍ଗ କରି କାରବାର କରୁଥିଲେ ? ପୋଲିସ ବେଶରେ ରଶ୍ମିରଞ୍ଜନ ରେଡ କରି ବ୍ରାଉନସୁଗର ଜବତ କରିଛି କି ? ଇଭେଣ୍ଟ ଆଳରେ ଏଜେଣ୍ଟ ଯୋଗାଡ କରୁଥିଲା କି ରଶ୍ମି ରଞ୍ଜନ ? ଇଭେଣ୍ଟ ମ୍ୟାନେଜର ଭାବରେ ଡ୍ରଗ୍ସ ପାର୍ଟି ଆୟୋଜନ କରିଛି କି ? ଭୁବନେଶ୍ବରରେ କେଉଁ ଷ୍ଟାର ହୋଟେଲକୁ ରଶ୍ମି ଯୋଗାଉଥିଲା କି ବ୍ରାଉନସୁଗାର ? ଏ ସବୁ ଦିଗରେ ରିମାଣ୍ଡରେ ଆଣି ଜେରା କରିବ ଏସଟିଏଫ । ତେବେ ୨୦୨୦ରୁ ଏବେ ଯାଏଁ ଏସଟିଏଫ୍ ମୋଟ ୫୨ କିଲୋ ବ୍ରାଉନସୁଗାର,୨୦୨ ଗ୍ରାମ କୋକେନ, ୯୩ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ନିଶା କାରାବାର ଲିଙ୍କରେ ୧୪୬ ଜଣଙ୍କୁ ଗିରଫ କରିଛି ଏସଟିଏଫ ।