ହୋଲି ପାଇଁ ସଜାଗ କମିଶନରେଟ୍ ପୋଲିସ, ସହରର ୩୧ଟି ସ୍ଥାନରେ ଅମାନିଆଙ୍କୁ ଜଗିବ

ଭୁବନେଶ୍ବର: ହୋଲି ପାଇଁ ସଜାଗ ହୋଇଛି କମିଶନରେଟ୍ ପୋଲିସ । ସୁରକ୍ଷା ବ୍ଯବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ସହରର ୩୧ଟି ସ୍ଥାନରେ ଅମାନିଆଙ୍କୁ ଜଗିବ ପୋଲିସ । ପିସିଆର ସହ ୧୭ଟି ମୋବାଇଲ ଭେଇକିଲରେ ବୁଲିବେ ସ୍ବତନ୍ତ୍ର ଟିମ୍ । ଅମାନିଆଙ୍କ ଉପରେ ସିସିଟିଭି ସହାଯ୍ୟରେ ନଜର ରଖାଯିବ । ଏହା ସହିତ ଷ୍ଟାଇକିଂ ଫୋର୍ସ ମୁତୟନ ହେବେ । ୪ଟି ଗାଧୁଆ ତୁଠରେ ପୋଲିସ ବି ପହରା ମାରିବ । ବିଶେଷକରି କେମିକାଲ ରଙ୍ଗ ବିକ୍ରି ଉପରେ ନଜର ରଖିବ ସ୍ୱତନ୍ତ୍ର ଟିମ ।  ଜଣେ ଡିସିପିଙ୍କ ନେତୃତ୍ୱରେ ରଙ୍ଗ ନେଇ ଯାଞ୍ଚ କରାଯିବ । ସେହିପରି ୪ଜଣ ଏଡିସିପିଙ୍କ ନେତୃତ୍ୱରେ ୮ ଜଣ ଏସିପି, ଆଇଆଇସିଙ୍କ ସହ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ହୋଲିରେ ମଦ ପିଇ ଗାଡି ଚଳାଇଲେ ଧରିବ ପୋଲିସ । ରାସ୍ତାରେ ଯୁବତୀଙ୍କୁ କମେଣ୍ଟ ମାରିଲେ ଜଗିବ ମହିଳା ପୋଲିସ । ରୋଡ୍ ରୋମିଓଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହୋଲି ନାଁରେ କମର୍ସିଆଲ ପାର୍ଟି କରୁଥିଲେ ସମସ୍ତ ତଥ୍ୟ ସ୍ଥାନୀୟ ପୋଲିସକୁ ଦେବାକୁ ପଡ଼ିବ । ପାର୍ଟିରେ ନିଶା କାରବାର ଉପରେ ମଧ୍ଯ କଡ଼ା ନଜର ରହିବ ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।