ରାଜଧାନୀରେ ପ୍ରେମ ବରଗଡରେ କରୁଥିଲେ ବିବାହ, ଉଠାଇ ନେଲା କମିଶନରେଟ ପୋଲିସ

1 min read

ଭୁବନେଶ୍ବର: ରାଜଧାନୀରେ ଯୁବତୀଙ୍କୁ ପ୍ରେମ କରି ଧୋକା । ବରଗଡ଼ରେ ଆଉ ଜଣଙ୍କୁ ବିବାହ କଲା ପୂର୍ବରୁ ଉଠାଇନେଲା କମିଶନରେଟ ପୋଲିସ । ବାଟବରଣି ପରେ ବରକୁ ପୋଲିସ ଉଠାଇ ନେବାରୁ ଅଧାରେ ବନ୍ଦ ହେଲା ବାହାଘର । ବାଟ ବରଣି ବେଳେ ମିଳିଥିବା ଚେନ୍, ମୁଦି ଓ ଘଣ୍ଟା ପୋଲିସ ଜବତ କରିଛି । ବରଗଡ଼ ଜିଲ୍ଲା ଭଟଲି ଥାନା ବେହେରା ପାଲି ଗାଆଁକୁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପାଣି ଗେଙ୍ଗୁଟିଆରୁ ଆସିଥିଲା ବରଯାତ୍ରୀ ।

ଜାକ ଜମକରେ ଆରମ୍ଭ ହୋଇଥିଲା ବିବାହ ଉତ୍ସବ । ଠିକ୍ ବାଟବରଣି ସରିଛି କି ନାହିଁ, ପହଞ୍ଚିଥିଲା କମିଶନରେଟ୍ ପୋଲିସ । କିଛି ସମୟ ଆଗରୁ ବ୍ୟାଣ୍ଡ ବାଜାରେ କମ୍ପି ଉଠୁଥିବା ଗାଆଁ ପୂରା ସ୍ତବ୍ଧ ହୋଇଯାଇଥିଲା । ଅଜିତ କୁମାର ଭୋଇ ଭୁବନେଶ୍ଵର OSRTCରେ ଜେଇ ଅଛନ୍ତି । ଗତ ଦୁଇ ବର୍ଷ ହେଲା ଭୁବନେଶ୍ଵରର ଜଣେ ଝିଅକୁ ବାହା ହେବାକୁ କହି ଠକି ଚାଲିଥିଲେ । କିଛି ଦିନ ଆଗରୁ ଝିଅ ଜଣଙ୍କ ଅଜିତଙ୍କ ନାଁରେ ଭୁବନେଶ୍ଵର ମହିଳା ଥାନାରେ ମାମଲା ରୁଜୁ କରିଥିଲେ । ଶାରୀରିକ ସମ୍ପର୍କ ରଖି ଶେଷରେ ଅନ୍ୟସ୍ଥାନରେ ବିବାହ କରୁଥିବା ଅଭିଯୋଗ କରିଥିଲେ ଯୁବତୀ ।

ବରଗଡ଼ ଏସପିଙ୍କ ନିର୍ଦ୍ଦେଶରେ ଭଟଲି ଥାନା କର୍ମଚାରୀଙ୍କ ସହଯୋଗରେ ଚଢ଼ାଉ କରି ବିବାହ ପୂର୍ବରୁ ବରକୁ ଉଠାଇନେଇଛି ପୋଲିସ । ଫଳରେ ଘଟଣାସ୍ଥଳରେ କିଛି ସମୟ ଉତ୍ତେଜନା ଦେଖାଦେଇଥିଲା । ଅଜିତକୁ ବରଗଡ଼ରୁ ଭୁବନେଶ୍ଵର ନେବା ପରେ ଡାକ୍ତରୀ ମାଇନା କରି ପୋଲିସ କୋର୍ଟ ଚାଲାଣ କରିଛି ।