ନାରୀଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାରଙ୍କ ବିଫଳତା ପଡ଼ିଲା ପଦାରେ, ପାଇଖାନାରେ ମୃତ ଶିଶୁ ଜନ୍ମ ଦେଲେ କଲେଜ ଛାତ୍ରୀ

ନୟାଗଡ଼: ରାଜ୍ୟରେ ନାରୀ ଅସୁରକ୍ଷିତ । ମହିଳାଙ୍କ ଉପରେ ହେଉଛି ଅତ୍ୟାଚାର । ଗର୍ଭବତୀ ହେଉଛନ୍ତି ସ୍କୁଲ ଓ କଲେ ଛାତ୍ରୀ । ଏମିତି ପୁଣି ଏକ ଘଟଣା ରାଜ୍ୟରେ ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଖାନାରେ ଜଣେ କଲେଜ ଛାତ୍ରୀ ଗୋଟିଏ ମୃତ ଶିଶୁକୁ ଜନ୍ମ ଦେଇଛନ୍ତି । ଏହି ଘଟଣା ପ୍ରଘଟ ହେବା ପରେ ରାଜ୍ୟ ସରକାରଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । କାରଣ ସରକାର ବଦଳିବା ପରେ ଏପରି ଘଟଣା ରାଜ୍ୟରେ ଘଟିବା ପ୍ରଥମ ନୁହେଁ । ଏହା ପୂର୍ବରୁ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଜଣେ ଛାତ୍ରୀ ଏକ ଶିଶୁକୁ ଜନ୍ମ ଦେଇଥିଲେ । ଯାହା ନାରୀଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର କେତେ ସମ୍ବେଦନଶୀଳ ତାହାକୁ ପଦାରେ ପକାଉଛି ।
ଖବର ଅନୁସାରେ, ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପାଇଖାନା ଭିତରେ ଏକ ମୃତ ଛୁଆକୁ ଜନ୍ମ ଦେଇଛନ୍ତି କଲେଜ ଛାତ୍ରୀ । ଛାତ୍ରୀ ଜଣକ କନ୍ଧମାଳ ଜିଲ୍ଲାର ହୋଇଥିବାବେଳେ ନୟାଗଡରେ ରହି ପାଠ ପଢୁଥିଲେ । ଆଜି ସକାଳୁ ଛାତ୍ରୀଙ୍କ ପେଟ କାଟିବାରୁ କଲେଜ କର୍ମଚାରୀ ଓ ତାଙ୍କ ସାଙ୍ଗଙ୍କ ସହିତ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । କିଛି ସମୟ ପରେ ଛାତ୍ରୀ ଜଣଙ୍କ ପାଇଖାନାକୁ ଯାଇ ଏକ ମୃତ ଛୁଆକୁ ଜନ୍ମ ଦେଇଥିଲେ । ଏହାପରେ ଛାତ୍ରୀଙ୍କ ସାଙ୍ଗ କଲେଜ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ କଲେଜ ସୁପରିଟେଣ୍ଡେଣ୍ଟ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦେଇଛନ୍ତି । ପରିବାର ଲୋକ ଆସିଲା ପରେ ଘଟଣାର ସତ୍ୟତା ଜଣାପଡିବ ।