spot_img

Latest Posts

ଅଧିକ ଲୋକାଭିମୁଖୀ ହେବ ୫T ଓ ମୋ ସରକାର; ପ୍ରସ୍ତୁତ ହେଉଛି ଭବିଷ୍ୟତ ରୋଡମ୍ୟାପ

ଭୁବନେଶ୍ବର : ଫାଇଭ୍-ଟି ଓ ମୋ ସରକାର ଆଧାରରେ କିପରି ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରାଯିବ? ସେନେଇ ପ୍ରସ୍ତୁତ ହେଉଛି ଭବିଷ୍ୟତ ରୋଡମ୍ୟାପ। ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀରେ ଏହା କହିଛନ୍ତି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ୩ବର୍ଷ ପରେ ଅନୁଷ୍ଠିତ ହେଉଥିବା ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ସମ୍ମିଳନୀରେ ଯୋଗ ଦେଇଛନ୍ତି। ସମ୍ମିଳନୀରେ ୧୭ଟି ବିଷୟ ଉପରେ ଆଲୋଚନା ହେଉଛି। ଟେକ୍ନୋଲୋଜି ଓ ଟିମ ଓ୍ବାର୍କକୁ ଫୋକସ କରିଛନ୍ତି ଗୃହ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥି ଭାଥାନନ । ଜାଗା ମିଶନ, ମୁକ୍ତା, ଡ୍ରିଙ୍କ ଫ୍ରମ ଟ୍ୟାପ ଭଳି ସହରାଞ୍ଚଳରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ନେଇ ସୂଚନା ଦେଇଛନ୍ତି।

ଡିସେମ୍ବର ୨୦୨୩ ସୁଦ୍ଧା ବାକି ସହରାଞ୍ଚଳରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା କାର୍ଯ୍ୟକାରୀ ହେବ। ଜାଗା ମିଶନରେ ୫ଟି ମହାନଗର ନିଗମରେ ମାଗଣା ଜାଗା ପ୍ରଦାନ ନେଇ ସର୍ଭେ ଚାଲିଛି, ଜୁନ୍ ଜୁଲାଇ ସୁଦ୍ଧା ଏହା ସରିବ। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଭୂମିହୀନଙ୍କୁ ୧ଲକ୍ଷ ଜମି ପଟ୍ଟା ଦେବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ସ୍ଥିର କରାଯାଇଛି।

ସେହିପରି ସାରା ଦେଶରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଗାଣରେ ଓଡ଼ିଶା ପ୍ରଥମ ରାଜ୍ୟ । ଯକ୍ଷ୍ମା ନିରାକରଣ, ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ମଧ୍ୟ ରାଜ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛି । କୋଭିଡ୍ ବେଳେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଆଇସିୟୁ ସୁବିଧା ସହ ସ୍ବତନ୍ତ୍ର କୋଭିଡ୍ ହସପିଟାଲ ପ୍ରସ୍ତୁତ କରିଥିଲା । ସମସ୍ତଙ୍କୁ ମାଗଣା ଚିକିତ୍ସା ବ୍ୟବସ୍ଥା କରିବାରେ ବି ରାଜ୍ୟ ପ୍ରଥମ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି କୋଣାର୍କ ଇକୋରିଟ୍ରିଟରେ ଉଦଯାପନ ହେବ ଜିଲ୍ଲାପାଳ ସମ୍ମିଳନୀ।

Latest Posts

Don't Miss