ରାସ୍ତାରେ ଦୁର୍ଘଟଣା ପାଇଁ ଜିଲ୍ଲାପାଳ ରହିବେ ଉତ୍ତରଦାୟୀ

ନୂଆଦିଲ୍ଲୀ: ସଡ଼କ ସୁରକ୍ଷାକୁ ସୁଦୃଢ କରିବା ସହ ଦୁର୍ଘଟଣାର ତଦାରଖ କରିବାର ଦାୟିତ୍ବ ଜିଲ୍ଲାପାଳଙ୍କର । ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟି ଏଭଳି ମର୍ମରେ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ରାଜ୍ୟ ସରକାର ଏହା ପୂର୍ବରୁ ଦୁର୍ଘଟଣା ରୋକିବା ପାଇଁ ସମ୍ପୂର୍ଣ୍ଣ ଯୋଜନା କରିଛନ୍ତି । ଜିଲ୍ଲାସ୍ତରରେ ସଡ଼କ ସୁରକ୍ଷା ପରିଷଦ ସହ ଆଲୋଚନା କରି ଦୁର୍ଘଟଣା ରୋକିବା ଉପରେ ପଦକ୍ଷେପ ନେବା ସହ ବେପରୁଆ ଗାଡ଼ି ଚାଳନା ପାଇଁ ଚଢାଉ ଜୋରଦାର କରିବାକୁ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି ପରିବହନ ସଚିବ ।

୨୦୨୦ ତୁଳନାରେ ୨୦୨୧ରେ ରାଜ୍ୟରେ ୭ ପ୍ରତିଶତ ବଢିଛି ଦୁର୍ଘଟଣା । ଦୁର୍ଘଟଣା ରୋକିବାକୁ ରାସ୍ତାରେ ହେବ ଜୋରଦାର ଚଢାଉ । ବେପରୁଆ ଚାଳକଙ୍କୁ ସାବାଡ଼ କରିବେ ପୋଲିସ, ଆରଟିଓ ଏବଂ ଜିଲ୍ଲା ପ୍ରଶାସନ । ଲଗାତାର ମାସେ ଧରି ଏନଫୋର୍ସମେଣ୍ଟ ଜାରି ରଖିବାକୁ ସଚିବଙ୍କ ନିର୍ଦ୍ଦେଶ । ୨୦୨୧ରେ ରାଜ୍ୟରେ ୧୦ ହଜାର ୯୮୪ ଦୁର୍ଘଟଣା ଘଟିଥିବା ବେଳେ ୫ ହଜାର ୮୧ଜଣ ପ୍ରାଣ ହରାଇଛନ୍ତି । ୯ ହଜାର ୭୮୨ ଜଣ ଆହତ ହୋଇଛନ୍ତି । ଗତବର୍ଷ ଅପେକ୍ଷା ଏଥର ଦୁର୍ଘଟଣା ୭.୨୪ ପ୍ରତିଶତ ବୃଦ୍ଧି ହୋଇଛି । ମଦ ପିଇ ଗାଡ଼ି ଚଳାଇବା, ବିନା ହେଲମେଟ, ଦୁଇ ଚକିଆରେ ୨ ଜଣ ବଦଳରେ ୩ ଜଣ ଯିବା, ଦ୍ରୁତ ଗତିରେ ଗାଡ଼ି ଚଳାଇବା ବି ଦୁର୍ଘଟଣାର ପ୍ରମୁଖ କାରଣ । ଏସବୁକୁ ରୋକିବା ପାଇଁ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରିବାକୁ ସବୁ ଜିଲ୍ଲାପାଳ, ଏସପି, ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ସଚିବ ବିଷ୍ଣୁପଦ ସେଠୀ । ନିର୍ବାଚନ ପାଇଁ ରାସ୍ତାରେ ଚେକିଂ ଟିକେ ଧୀମା ପଡ଼ିଥିବା ବେଳେ ଏବେ ଲଗାତାର ମାସେ ଧରି ଚାଲିବ ଚଢାଉ ।

ଗଜପତି, ଝାରୁସୁଗୁଡ଼ା, ବୌଦ୍ଧ ଓ ରାୟଗଡ଼ା ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା ଅଧିକ ବଢିବା ସହ ମୃତକଙ୍କ ସଂଖ୍ୟା ବି ବଢିଛି । ଜିଲ୍ଲାସ୍ତରରେ ଥିବା ସଡ଼କ ସୁରକ୍ଷା ପରିଷଦ ସହ ବିସ୍ତୃତ ଆଲୋଚନା କରି ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନର ମିଳିତ ଉଦ୍ୟମରେ ଏନଫୋର୍ସମେଣ୍ଟକୁ ଜୋରଦାର କରିବାକୁ ନିଷ୍ପତ୍ତି ହୋଇଛି । ଟେକ୍ନୋଲୋଜିର ବିନିଯୋଗ କରି ସଚେତନ ସହ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରିବା ପାଇଁ ଖସଡ଼ା ପ୍ରସ୍ତୁତ ହୋଇଛି । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା କରିବା ସହ ସଡ଼କ ନିରାପତ୍ତା ପାଇଁ ଯୋଜନା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ରାଜ୍ୟରେ ମାନବ ସମ୍ବଳ ଓ ଭିତ୍ତିଭୂମିର ଅଭାବ ଯୋଗୁଁ ଅନେକ ଟ୍ରାଫିକ ଉଲ୍ଲଙ୍ଘନକାରୀ ଖସିଯିବାକୁ ସକ୍ଷମ ହେଉଛନ୍ତି । ଏହା ଉପରେ ସରକାର ଗରୁତ୍ବ ଦେବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ଆଇନ ଉଲଘଂନକାରୀଙ୍କୁ ଉପରେ ଚଢାଉର ଦୈନନ୍ଦିନ ରିପୋର୍ଟ ଜିଲ୍ଲାରୁ ରାଜ୍ୟକୁ ଏବଂ ରାଜ୍ୟକୁ କେନ୍ଦ୍ର ସଡ଼କ ସୁରକ୍ଷା ପରିଷଦକୁ ପଠାଇବାର ବ୍ୟବସ୍ଥା ରହିଛି । ସ୍ଥିତିକୁ ଅନୁଧ୍ୟାନ କରି ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଠୋସ୍ ପଦକ୍ଷେପ ନେଇପାରିବେ ।