ଦିନକ ପରେ ଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀ

1 min read

ଭୁବନେଶ୍ୱର: ଦିନକ ପରେ ଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀ । ଏଥିରେ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗଦେବେ । ସଚିବମାନେ ନିଜ ବିଭାଗର ଫ୍ଲାଗସିପ୍ କାର୍ଯ୍ୟକ୍ରମ ଏବଂ ଭବିଷ୍ୟତ ଯୋଜନା ବାବଦରେ ରଖିବେ ପ୍ରେଜେଣ୍ଟେସନ । ପ୍ରଶାସନକୁ ସ୍ବଚ୍ଛ ଓ ପ୍ରଭାବଶାଳୀ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ରୂପାନ୍ତରଣ କାର୍ଯ୍ୟକ୍ରମ ବାବଦରେ ଫାଇଭ-ଟି ସଚିବ ବିସ୍ତୃତ ଆଲୋଚନା କରିବେ ।

ଫେବ୍ରୁଆରୀ ୧୪ ଓ ୧୫ । ଦୁଇଦିନ ଧରି ଚାଲିବ ଜିଲ୍ଲାପାଳ ସମ୍ମିଳନୀ । ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ । ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବାକୁ ମୁଖ୍ୟମନ୍ତ୍ରୀ ଦେବେ ଗୁରୁମନ୍ତ୍ର । ସମ୍ମିଳନୀରେ ଉପସ୍ଥିତ ରହିବେ ରାଜ୍ୟର ସମସ୍ତ ବରିଷ୍ଠ ଅଧିକାରୀ । ବିଭାଗୀୟ ସଚିବମାନେ ନିଜ ବିଭାଗର ରୋଡମ୍ୟାପ୍‌ ବାବଦରେ ପ୍ରେଜେଣ୍ଟେସନ ରଖିବେ । ସରକାରଙ୍କ ରୂପାନ୍ତରଣ କାର୍ଯ୍ୟକ୍ରମର ସଠିକ୍ ପରିଚାଳନା ବାବଦରେ ବୁଝାଇବେ ଫାଇଭ-ଟି ସଚିବ । ସରକାରଙ୍କ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ସଠିକ୍ ଢଙ୍ଗରେ ପହଞ୍ଚାଇବା ପାଇଁ ମୁଖ୍ୟ ଶାସନ ସଚିବ ଆଲୋଚନା କରିବେ ।

ଫୋକସରେ ରହିବ ରୂପାନ୍ତରଣ କାର୍ଯ୍ୟକ୍ରମ, ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବିକାଶ, ପାନୀୟଜଳ, ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମି ବିକାଶ । ଟେକ୍ନୋଲୋଜି ଓ ସ୍ଥାନୀୟ ଲୋକଙ୍କ ସହଭାଗିତାରେ ସହରୀ ଯୋଜନା ଉପରେ ନଗର ଉନ୍ନୟନ ସଚିବ ପ୍ରେଜେଣ୍ଟେସନ ଦେବ । ଆମ ହସ୍ପିଟାଲ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ସ୍ବାସ୍ଥ୍ୟ ସଚିବ । ପ୍ରଶାସନ ଓ ରାଜ୍ୟବାସୀଙ୍କ ପାଇଁ ଏହି ସମ୍ମିଳନୀ ଗୁରୁତ୍ବ ବହନ କରୁଛି ।

ମହିଳା ସ୍ବୟଂ ସହାୟକ ଗୋଷ୍ଠୀରୁ ଲଘୁ ଓ ମଧ୍ୟମ ଉଦ୍ୟୋଗୀ ହେବାର ରୋଡମ୍ୟାପ୍‌ ବାବଦରେ ବୁଝାଇବେ ମିଶନ ଶକ୍ତି ସଚିବ । ଏସଏଚଜିଙ୍କୁ ୫୦ ହଜାର କୋଟି ଟଙ୍କାର ଋଣ ବିନାସୁଧରେ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ବହୁବିଧ ଫସଲ ଚାଷ ଉପରେ କୃଷି ସଚିବ ଏବଂ ପ୍ରଶାସନରେ ଟେକ୍ନୋଲୋଜିର ଭୂମିକା ବାବଦରେ ପ୍ରେଜେଣ୍ଟେସନ ଦେବେ ଆଇଟି ସଚିବ । ଦକ୍ଷତା ବିକାଶ ଉପରେ ବିଭାଗୀୟ ସଚିବ ଗୁରୁତ୍ବ ଦେବାକୁ ଯାଉଥିବା ବେଳେ ଓଡ଼ିଶା କିପରି ପୁଞ୍ଜିପତିଙ୍କ ପ୍ରିୟସ୍ଥାନ ପାଲଟିଛି ସେ ବାବଦରେ ଶିଳ୍ପ ସଚିବ ତଥ୍ୟ ରଖିବେ ।

ସମ୍ମିଳନୀର ଦ୍ବିତୀୟ ଦିନରେ ଏମ୍ଏସଏମ୍ଇ, ଗଣଶିକ୍ଷା, ଜଳସମ୍ପଦ, ପର୍ଯ୍ୟଟନ ସଚିବ ଭବିଷ୍ୟତ ଯୋଜନା ବାବଦରେ ଆଲୋଚନା କରିବେ । ପାନୀୟଜଳ ଉପରେ ବିଭାଗୀୟ ସଚିବ ଓ ଗମନାଗମନ ସୁବିଧା ଉପରେ ତଥ୍ୟ ରଖିବେ ପରିବହନ ସଚିବ । ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ୍‌ ସେବା ଓ ରାଜସ୍ବ ପ୍ରଶାସନକୁ ପିପୁଲ – ଫ୍ରେଣ୍ଡଲି କରିବା ବାବଦରେ ଅର୍ଥ ସଚିବ କହିବେ । ଲୋକଙ୍କ ପାଖରେ ସରକାରଙ୍କ ଯୋଜନା ପହଞ୍ଚାଇବାକୁ ଜିଲ୍ଲାପାଳଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବାରୁ ଏହି ସମ୍ମିଳନୀକୁ ଗୁରୁତ୍ବ ଦିଆଯାଉଛି ।