ଶୀତ ପ୍ରବାହ ମଧ୍ୟରେ ଓଡ଼ିଶାକୁ ଲଘୁଚାପ ଭୟ: ୧୩ ତାରିଖ ଯାଏଁ ଜାରି ରହିବ କୋହଲା ପାଗ

1 min read

ଭୁବନେଶ୍ୱର: ଶୀତ ବଢୁଥିବା ବେଳେ ଓଡ଼ିଶାକୁ ଲଘୁଚାପ ଭୟ । ଆଜିଠୁ ଆସନ୍ତା ୧୩ ତାରିଖ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ କୋହଲା ପାଗ ରହିବ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନିଭୁତ ହୋଇ ଅବପାତରେ ପରିଣତ ହେବ । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ତାମିଲନାଡୁ ଉପକୂଳରେ ସ୍ଥଳଭାଗ ଛୁଇଁବ ।

ଗଞ୍ଜାମ, ଗଜପତି, ରାୟଗଡା ଏବଂ କୋରାପୁଟ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ପାଚିଲା ଧାନ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ଲଘୁଚାପ ଦୁର୍ବଳ ହେବା ପରେ ରାଜ୍ୟରେ ଶୀତ ବଢିବ । ଉତ୍ତର ପଶ୍ଚିମ ଦିଗରୁ ଓଡ଼ିଶାକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଶୀତର ପରିମାଣ ବୃଦ୍ଧି ପାଇଛି । ଲଘୁଚାପ ପ୍ରଭାବରେ ପୂର୍ବ ଦିଗରୁ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ଣ ବାୟୁ ଏବେ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି । ତେଣୁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଦିନ ଅପେକ୍ଷା ରାତ୍ରୀର ତାପମାତ୍ରା ବଢିବ ।

ଅନ୍ୟପକ୍ଷରେ ଶୀତରେ ଥରୁଛି ଫୁଲବାଣୀ ସମେତ ସମଗ୍ର କନ୍ଧମାଳ । ପ୍ରତିଦିନ ଖସୁଛି ପାରଦ । ଫଳରେ ଥଣ୍ଡା ମଧ୍ୟ ବଢିବାରେ ଲାଗିଛି । ଏହାସହ ଘନ କୁହୁଡି ବି ଲାଗି ରହୁଛି । ଫୁଲବାଣୀରେ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସକୁ ଖସିଥିବା ବେଳେ, ଦାରିଙ୍ଗବାଡିରେ ତାପମାତ୍ରା ୧୧ ଡିଗ୍ରୀ ରହୁଛି । ଶୀତବସ୍ତ୍ର ପିନ୍ଧି ଥଣ୍ଡାର ମଜା ଉଠାଇବା ସହ କିଏ ମର୍ଣ୍ଣିଂ ଓ୍ୱାର୍କ କରୁଛି, ତ ଆଉ କିଏ ନିଜକୁ ଫିଟ୍ ରଖିବାକୁ ବ୍ୟାୟାମ୍ କରୁଥିବା ଦେଖିବାକୁ ମିଳିଛି ।

Leave a Reply