ଆଉ ୨ ଦିନ ପ୍ରବଳ ଜାଡ଼, ରାତି ଓ ଭୋର୍ ସମୟରେ ଘରୁ ନବାହାରିବାକୁ ପରାମର୍ଶ
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଓଡ଼ିଶାକୁ ଉତ୍ତରପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ କରୁଛି । ପ୍ରଭାବରେ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହେଉଛି । ଆଗାମୀ ୫ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବାକୁ ଥିବାବେଳେ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଶୀତ ଲହରୀ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
୨୯ ତାରିଖରୁ ୩୦ ତାରିଖ ସକାଳ ୮ଟା ୩୦ ଯାଏ ପ୍ରବଳ ଥଣ୍ଡା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ସୋନପୁର, ବୌଦ୍ଧ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ସେହିଭଳି ୩୦ ତାରିଖରୁ ୩୧ ତାରିଖ ସକାଳ ୮ଟା ୩୦ ଯାଏ ପ୍ରବଳ ଶୀତ ନେଇ ଝାରସୁଗୁଡ଼ା, ବଲାଙ୍ଗିର, ବରଗଡ଼, ସୋନପୁର ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ପ୍ରବଳ ଥଣ୍ଡା ପାଇଁ ରାତି ସମୟରେ ଆବଦ୍ଧ ଘରେ ରହିବା ସହ ଭୋର୍ ସମୟରେ ଘରୁ ନବାହାରିବା ଲାଗି ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଆସନ୍ତା ୩ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ପରବର୍ତ୍ତୀ ୨ ଦିନରେ ତାପମାତ୍ରା ଆସ୍ତେ ଆସ୍ତେ ୨ରୁ ୩ ଡିଗ୍ରୀ ବଢ଼ିବ । ରାଜ୍ୟର ଅଧିକାଂଶ ସ୍ଥାନରେ ଆସନ୍ତା ୩ ଦିନ ଯାଏ ପାରଦ ସ୍ୱଭାବିକ ତାପମାତ୍ରା ଠାରୁ ୩ରୁ ୫ ଡିଗ୍ରୀ ତଳେ ରହିବ ।