ଜାଡ଼ରେ ଥରୁଛି ଓଡ଼ିଶା: ୭ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ଜାଡ଼ରେ ଅସ୍ତବ୍ୟବସ୍ତ ଜନଜୀବନ । ପ୍ରବଳ ଶୀତରେ ଥରୁଛି ଉପାନ୍ତରୁ ଉପକୂଳ । ୧୦ ଡିଗ୍ରୀ ତଳକୁ ଖସିଲାଣି ଅଧା ଓଡ଼ିଶାର ତାପମାତ୍ରା । ଆଗାମୀ ୩ଦିନ ଯାଏ ମଧ୍ୟ ଶୀତ ଲହରୀ ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର ଦିଗରୁ ଓଡ଼ିଶାର ସ୍ଥଳଭାଗକୁ ଆସୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହ ପାଇଁ ଜାଡ଼ ବଢିଛି ।

ଅତି ତୀବ୍ର ଶୀତ ଲହରୀ ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଏବଂ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସଚେତନ ସହ ସତର୍କତା ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର । ରାତିରେ ବାଇକ ଏବଂ ଖୋଲା କାରରେ ନବୁଲିବାକୁ ପରାମର୍ଶ ଦିଆଯାଇଛି । ଶିଶୁ ଏବଂ ବୟସ୍କ ବିନା ଶୀତବସ୍ତ୍ରରେ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜଧାନୀରେ ଶୀତ ଲହର ଅନୁଭୂତ ହେବ । ସହରର ସର୍ବୋଚ୍ଚ ତାପମାତ୍ରା ୨୪ଡିଗ୍ରୀ ଓ ସର୍ବନିମ୍ନ ୧୦ ଡିଗ୍ରୀ ରହିବ । ରାତି ସମୟରେ ସ୍ଥିତି ଅଧିକ ଖରାପ ହେବ । ଲୋକେ ବାହାରକୁ ବାହାରିବା ସମୟରେ ଶୀତବସ୍ତ୍ର ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି । ସହରକୁ ଲାଗି ରହିଥିବା ପାହାଡ଼ିଆ ତଥା ଜଙ୍ଗଲ ଅଞ୍ଚଳରେ ଅଧିକ ଥଣ୍ଡା ଅନୁଭୂତ ହେଉଛି । ବିମାନବନ୍ଦର, ଚନ୍ଦ୍ରଶେଖରପୁର, ଚନ୍ଦକା ପ୍ରଭୂତି ଅଞ୍ଚଳରେ ରାତିରେ ପାରଦ ବହୁତ କମୁ ରହୁଛି ।

Leave a Reply