ପୁଣି ଓଡ଼ିଶାକୁ ଫେରିଲା ଶୀତ, ୨ରୁ ୩ ଦିନ ମଧ୍ୟରେ ଆହୁରି ଜାଡ଼ିବ

1 min read

ଭୁବନେଶ୍ବର:  ଦକ୍ଷିଣ-ଛତିଶଗଡ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ ଦୁର୍ବଳ ହୋଇଛି । ଏହାସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୩.୧ କିମି ଉଚ୍ଚତା ଯାଏଁ ବ୍ୟାପିଛି । ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ପାଗ ଲାଗିରହିଛି । ଗୁରୁବାର କେନ୍ଦୁଝର, ମୟୁରଭଂଜରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି । କୋରାପୁଟର କୋଟପାଡ଼ରେ ସର୍ବାଧିକ ୬୪ ମିଲିମିଟର ବର୍ଷା ହୋଇଥିବାବେଳେ ହିଞ୍ଜିଳିରେ ୫୯, ଆସ୍କାରେ ୫୫.୮, କୁକୁଡ଼ାହାଣ୍ଡିରେ ୫୪, ଝାରସୁଗୁଡ଼ାରେ ୪୮.୯, କୋଲବରାରେ ୫୭.୬, ଲାଇକେରା ୫୬.୪ ଓ ନୂଆପଡ଼ା ୪୪.୮ମିଲିମିଟର ବର୍ଷା ରେକର୍ଡ ହୋଇଛି ।

କୋହଲା ପାଗ ପ୍ରଭାବରେ ତଳମୁହାଁ ହୋଇଛି ରାଜଧାନୀ ଭୁବନେଶ୍ବରର ତାପମାତ୍ରା । ଗତ ଦୁଇ ଦିନ ତୁଳନାରେ ତାପମାତ୍ରା ୫ ଡିଗ୍ରୀ ହ୍ରାସ ପାଇଛି । ଆଗାମୀ ୫ଦିନ ଯାଏ ତାପମାତ୍ରାରେ ସେପରି କୌଣସି ପରିବତ୍ତନ ଆସିବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷାରେ ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ ହୋଇଛି । ଆସନ୍ତାକାଲିଠୁ ପାଗ ବଦଳିବା ପରେ ତୁରନ୍ତ କ୍ଷୟକ୍ଷତିର ସମୀକ୍ଷା କରାଯିବ । ଫିଲ୍ଡ ଭିଜିଟ୍ କରି କ୍ଷୟକ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି । ୧୨ ତାରିଖ ମଧ୍ୟରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, କୃଷି ଓ ମତ୍ସସଂପଦ ବିଭାଗ ମିଳିତ ଭାବରେ ସ୍ବତନ୍ତ୍ର ଫର୍ମାଟରେ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଛି ।

ଓଡ଼ିଶାକୁ ଫେରିବ ଶୀତ । ୨ ରୁ ୩ ଦିନ ମଧ୍ୟରେ ଜାଡ ବଢିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କୋହଲା ପାଗ ପ୍ରଭାବ କମିବା ପରେ ଶୀତ ବଢିବ । ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ । ବର୍ତ୍ତମାନ କୋହଲା ପାଗ ସହ ମେଘୁଆ ଆକାଶ ପ୍ରଭାବରେ ଦିନର ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିଥିବା ବେଳେ ରାତ୍ରିର ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଉପରେ ରହିଛି । ୯ ତାରିଖ ପରେ ଉପାନ୍ତରୁ ଉପକୂଳ ସବୁଠି ରାତିର ତାପମାତ୍ରା କମିବ ।